fbpx

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ; କହିଲେ, ପାଲେଷ୍ଟାଇନବାସୀଙ୍କୁ ଜାରି ରହିବ ଭାରତର ମାନବୀୟ ସହାୟତା

ଓଡିଶା ଭାସ୍କର; ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ଜାରି ରହିଛି। ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ହମାସ ଉପରେ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଏହି ଯୁଦ୍ଧରେ ଗାଜା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଅନେକ ଜଣଙ୍କ ଜୀବନ ଚାଲିଗଲାଣି ।

ସେହିପରି ମଙ୍ଗଳବାର ଅଲ ଅହଲି ଡାକ୍ତରଖାନାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି ଯେଉଁଥିରେ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। । ତେବେ ଏହି ସମସ୍ତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମହମୂଦ ଅବ୍ବାସଙ୍କ ସହ ବାର୍ତ୍ତାଳାପରେ ଗାଜାର ଅଲ ଅହଲି ଡାକ୍ତରଖାନାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ମୁଁ ସମବେଦନା ଜଣାଇଛି । ଆମେ ପାଲେଷ୍ଟାଇନବାସୀଙ୍କୁ ମାନବୀୟ ସହାୟତା ପଠାଇବା ଜାରି ରଖିବୁ। ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳର ନିରାପତ୍ତା ଅବସ୍ଥାକୁ ନେଇ ଆମେ ଆମର ଗଭୀର ଚିନ୍ତା ବାଣ୍ଟିଛୁ। ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଆମେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଛୁ।

Get real time updates directly on you device, subscribe now.