fbpx

ପ୍ରଣବ, ମନମୋହନ, ନବୀନ, ସୋନିଆଙ୍କ ସହ ମୋଦିଙ୍କ ଆଲୋଚନା

୮ରେ କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୫ା୪: ଦେଶରେ କରୋନା ଫଳରେ ରବିବାର ସୁଦ୍ଧା ୩୩୭୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୯ଜଣଙ୍କ ମୃତ୍ୟୁ ହୋଇଛି । ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରବିବାର ଦେଶରେ କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା ଏବଂ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନେକ ବଡ଼ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏମାନଙ୍କ ବ୍ୟତିତ ସମାଜବାଦୀ ପାର୍ଟି ନେତା ମୁଲାୟମ୍ ସିଂ ଯାଦବ, ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲ୍, ଦକ୍ଷିଣ ଭାରତର ବଡ଼ ନେତା ଚନ୍ଦ୍ର ଶେଖର ରାଓ, ଏମ୍.କେ. ଷ୍ଟାଲିନ୍ଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । କରୋନା ଭୁତାଣୁ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଚଳିତ ମାସ ୮ ତାରିଖରେ ସର୍ବଦଳୀୟ ବୈଠକ ଡ଼କାଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଷୀ କହିଛନ୍ତି ଯେ, ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ଏବଂ ନେତାଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଲୋକସଭା କିମ୍ବା ରାଜ୍ୟସଭାରେ ୫ଜଣ ସଦସ୍ୟ କିମ୍ବା ଏହାଠାରୁ ଅଧିକ ସଦସ୍ୟ ଥିବା ଦଳର ନେତାଙ୍କ ସହ ମୋଦି ଆଲୋଚନା କରିବେ ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.