fbpx

ଆମେରିକା ଓ ଭାରତ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଉପରେ ଲାଗିବ ମୋହର, ଭୟାନକ ପ୍ରିଡେଟର ଡ୍ରୋନ୍ ସହିତ ବହୁ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଭାରତକୁୁ ଦେବ ଆମେରିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ଠାରୁ ତ୍ରି ଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି । ତେବେ ନ୍ୟୁୟର୍କରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ପ୍ରତିରକ୍ଷା ବୁଝାମଣା ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ପହଞ୍ôଚଲେ ସେତେବେଳେ ହ୍ୱାଇଟ୍ ହାଉସ୍ ରେ ଏକ ବାର୍ତ୍ତାରେ କୁହାଗଲା ଯେ, ମୋଦୀଙ୍କ ଏହି ଗସ୍ତ ରୁୁଷ କିମ୍ବା ଚୀନ୍ ବିଷୟରେ ଆଲୋଚନାକୁ ନେଇ ବରଂ ଏହା ଭାରତ ଓ ଆମେରିକା ସଂପର୍କକୁ ଆହୁରି ମଜଭୁତ କରିବାକୁ ଉଦ୍ଦିଷ୍ଟ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡୀ ଜିଲ ବାଇଡେନଙ୍କ ଆମନ୍ତ୍ର୍ଣରେ ଆମେରିକା ପହଞ୍ଚିଥିବା ମୋଦୀଙ୍କ ଏହି ଯାତ୍ରା ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ସମୟରେ ସେ ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା କରିବେ । ଏହା ସହିତ ନ୍ୟୁୟର୍କରେ ଯୋଗ ଦିବସରେ ଯୋଗ କରିବେ । ହ୍ୱାଇଟ୍ ହାଉସ୍ରେ ଅୟୋଜିତ ରାତ୍ରୀ ଭୋଜିରେ ବି ସାମିଲ ହେବେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବିଜନେସ୍, ଟେକ୍ନୋଲଜି ଓ ଷ୍ଟ୍ରାଟେଜିକ୍ ଡିଲ୍ ହେବ ।
ଆମେରିକା ଯାତ୍ରା ପୂର୍ବରୁ ମୋଦୀ କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି ଓ ପ୍ରତି କ୍ଷେତ୍ରରେ ଆମର ସହଭାଗିତା ଲଗାତର ବୃଦ୍ଧି ପାଇବାରେ ଲାଗିଛି । ସେ କହିଛନ୍ତି ଆମେରିକାକୁ ମୋର ଯାତ୍ରା ଗଣତନ୍ତ୍ର, ବିଭିନ୍ନତା ମଧ୍ୟରେ ଏକତା ଓ ସ୍ୱାଧୀନତାର ମୂଲ୍ୟ ଉପରେ ଆଧାରିତ ଆମର ସମ୍ବନ୍ଧକୁ ଆହୁରି ମଜଭୁତ କରିବ । ବୈଶ୍ୱିକ ଆହ୍ୱାନକୁ ସାମ୍ନା କରିବା ଲାଗି ଆମେ ସାଙ୍ଗ ହୋଇ ମଜଭୁତ ଭାବରେ ଛିଡା ହୋଇପାରିବୁ ।

ତେବେ ମୋଦୀଙ୍କ ଏହି ଯାତ୍ରା ସମୟରେ ଭାରତ ଓ ଆମେରିକା ମଧ୍ୟରେ ଭାରତକୁ ସୁପରପାୱାର କରିବାକୁ ଥିବା ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ଲାଗିବ । ୨୧ ଜୁନ୍ ଅର୍ଥାତ୍ ଆଜି ଠାରୁ ଏହି ଡିଲ୍ ଉପରେ ଆଲୋଚନା ହେବ । ମୋଦୀଙ୍କ ଏହି ଯାତ୍ରା ପୂର୍ବରୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲଭିନ୍ ଭାରତ ଆସିଥିଲେ ଏବଂ ମୋଦୀଙ୍କୁ ଏ ସମ୍ବନ୍ଧରେ ଭେଟିଥିଲେ । ଜାକ୍ ସୁଲଭିନ୍ ଏହି ମେଗା ଡିଫେନ୍ସ ଡିଲ୍ ର ସୂତ୍ରଧର ଅଟନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଜାନୁୟାରୀ ୨୦୨୩ରୁ ଜାକ୍ ସୁଲଭିନ୍ ଓ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା । ବହୁ ସ୍ତରୀୟ ଆଲୋଚନା ପରେ ଏବେ ଏହି ପ୍ରତିରକ୍ଷା ସଉଦା ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି । ପ୍ରକୃତ କଥା ହେଉଛି ୟୁକ୍ରେନ୍ ଯୁଦ୍ଧରେ ବ୍ୟସ୍ତ ରହିଥିବା ରୁଷ ଭାରତର ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ ଓ ଅନ୍ୟପଟେ ଚୀନ୍ ଆଡୁ ବିପଦ କେବଳ ଭାରତ ପ୍ରତି ନୁହେଁ ସାରା ବିଶ୍ୱ ପ୍ରତି ଲଗାତର ବଢିବାରେ ଲାଗିଛି ।

ଚୀନକୁ ମୁକାବିଲା କରିବା ଲାଗି ଭାରତକୁ ଏହାର ଯୁଦ୍ଧ ବିମାନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି କରିବାକୁ ହେବ । ଏବେ ତେଜସ୍ ମାର୍କ ୨ ଲାଗି ନୂଆ ଇଂଜିନର ଆବଶ୍ୟକତା ରହିଛି । ମୋଦୀଙ୍କ ଏହି ଗସ୍ତ ଦ୍ୱାରା ‘ଜିଇ ଏଫ୍୪୧୪’ ଇଂଜିନର ନିର୍ମାଣ ଭାରତରେ ହେବା ନେଇ ମୋହର ଲାଗିବ । ଏଥିପାଇଁ ଆମେରିକା ଟେକ୍ନୋଲଜି ଟ୍ରାନ୍ସଫର ଲାଗି ସହମତି ପ୍ରକାଶ କରିଛି । ଏହାଦ୍ୱାରା ଫାଇଟର ଜେଟ୍ ଉପରେ ଭାରତର ଅନ୍ୟ ଦେଶ ଉପରେ ନିର୍ଭରତା ହ୍ରାସ ପାଇବ ।
ଏହା ସହିତ ‘ଏମ୍ -୭୭୭ ଲାଇଟ୍ ହୋବିତଜର୍’ ତୋପକୁ ଆମେରିକା ଅପଗ୍ରେଡ୍ କରି ଏହାର ରେଞ୍ଜ ବଢାଇ ଭାରତକୁ ପ୍ରଦାନ କରିବ । ଏହାଦ୍ୱାରା ତୋପର ମାରକ ଦକ୍ଷତା ବୃଦ୍ଧି ପାଇବ । ଏହା ସହିତ ଆମେରିକା ଏହାର ଶକ୍ତିଶାଳୀ ଓ ଭୟାନକ ପ୍ରିଡେଟର ଡ୍ରୋନ୍ ମଧ୍ୟ ଭାରତକୁ ଟ୍ରାନ୍ସଫର କରିବ । ଏହି ଡ୍ରୋନ୍ ୧୨୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ରଖିଛି ।

Get real time updates directly on you device, subscribe now.