fbpx

ଦେଶର ସବୁ ମହିଳା ହେଉଛନ୍ତି ଗୋଟିଏ ଜାତି, ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ସହ କଥା ହେବା ସମୟରେ ଏପରି କହିଲେ ମୋଦୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସ ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ଲାଭାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହା ସହିତ ସାରା ଦେଶରୁ ୨ ହଜାରରୁ ଅଧିକ ବିବିଏସୱାଇ ଭ୍ୟାନ୍‌, ହଜାର ସଂଖ୍ୟାରେ କୃଷି ବିଜ୍ଞାନ କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରରେ ପ୍ରତିନିଧି ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦେଶର ସବୁ ମହିଳା ଗୋଟିଏ ଜାତି କିନ୍ତୁ କିଛି ଲୋକ ସେମାନଙ୍କୁ ବିଭାଜିତ କରିବାର ଉଦ୍ୟମ କରୁଛନ୍ତି । ମୋ ପାଇଁ ଏହି ଦେଶର ସବୁ ଗରିବ ଭିଆଇପି ଅଟେ । ନିକଟରେ ମିଳିଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି କି ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ସମସ୍ତଙ୍କ ଭରସା ରହିଛି । ମୁଁ ସେମାନଙ୍କ ନିକଟରେ ଋଣୀ ଯେଉଁମାନେ ମୋ ଉପରେ ଭରସା କରିଛନ୍ତି । କିଛି ରାଜନୈତିକ ଦଳ ଏହା ବୁଝୁନାହାନ୍ତି କି ମିଛ ପ୍ରତିଶ୍ରୁତିରେ ତାଙ୍କୁ କିଛି ମିଳିବ ନାହିଁ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ମଧ୍ୟରୁ ଜଣଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ମୋଦୀ କହିଥିଲେ ମୋତେ ଏହା ଦେଖି ଖୁସି ଅନୁଭବ ହେଉଛି କି ବହୁ ସଂଖ୍ୟାରେ ଲୋକମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଉତ୍ସାହପୂର୍ବକ ଭାଗ ନେଉଛନ୍ତି ।

ମୋଦୀଙ୍କ ଗ୍ୟାରେଣ୍ଟି ବାଲା ଗାଡି ପହଞ୍ଚିବା ପରେ ଏକ ଲକ୍ଷ ନୂଆ ଲାଭାର୍ଥୀ ଉଜ୍ଜ୍ୱଳା ଯୋଜନା ଜରିଆରେ ମାଗଣା ଗ୍ୟାସ୍ ସଂଯୋଗ ଲାଗି ଆବେଦନ କରିଛନ୍ତି । ଏହି ଯାତ୍ରା ସମୟରେ ୩୫ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ବି ଦିଆଯାଇଛି । ମୋଦୀ କହିଛନ୍ତି ଆପଣଙ୍କ ସେବକ ନିଜ ପରିବାର ପର୍ଯ୍ୟନ୍ତ ପହଞ୍ଚିବାର ଏହା ଏକ ପ୍ରୟାସ । ଆପଣଙ୍କ ଦୁଃଖ ସୁଖ ସହ ସାମିଲ ହେବାକୁ ମୁଁ ଏହି ଯାତ୍ରା ଆରମ୍ଭ କରିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.