fbpx
BJD SKY
BJD SKY

କର୍ଣ୍ଣାଟକର ହୁବାଲିଠାରେ ବିଶ୍ୱର ଦୀର୍ଘତମ ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କଲେ PM ମୋଦୀ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ବାସୀଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ରାଜ୍ୟର ହୁବାଲିଠାରେ ବିଶ୍ୱର ଦୀର୍ଘତମ ରେଲୱେ ପ୍ଲାଟଫର୍ମକୁ ଉଦଘାଟନ କରିଛନ୍ତି ପିଏମ୍ ମୋଦୀ । ଏହି ଉଦଘାଟନୀ ଉତ୍ସବ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ । ଭାରତୀୟ ରେଳର ସାଉଥ ୱେଷ୍ଟର୍ଣ୍ଣ ରେଲୱେ ଜୋନର ହୁବାଲି ବର୍ତ୍ତମାନ ଦୀର୍ଘତମ ପ୍ଲାଟଫର୍ମ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ନିଜର ନାମ ପଞ୍ଜୀକୃତ କରିଛି ।

କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଦ୍ଧ ସ୍ୱାମୀଜୀ ଷ୍ଟେସନରେ ରହିଥିବା ଏହି ରେଲୱେ ପ୍ଲାଟଫର୍ମର ନିର୍ମାଣ ରିମଡେଲିଂ ପାଇଁ ୨୦.୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ୨୦୨୧ ମସିହା ଫେବୃଆରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୧.୫ କିମି ଦୂରତା ବିଶିଷ୍ଟ ରେଲୱେ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଛି । ଏହି ଷ୍ଟେସନ କର୍ଣ୍ଣାଟକର ଏକ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ ହୋଇଥିବା ବେଳେ ଏହା ବେଙ୍ଗାଲୁରୁ (ଦେବନାଗେରେ ପାଖ), ହୋସାପେଟେ (ଗଦାଗ ପାଖ) ଓ ଭାସ୍କୋ-ଡା-ଗାମା / ବେଲାଗଭି (ଲୋଣ୍ଡା ପାଖ)କୁ ସଂଯୋଗ କରୁଛି ।

ସହରର ବିସ୍ତାରକୁ ଦୃଷ୍ଟିରେ ରଖି ଚାହିଦା ଅନୁଯାୟୀ ପୂର୍ବରୁ ସେଠାରେ ପାଞ୍ଚଟି ପ୍ଲାଟଫର୍ମ ରହିଥିବା ବେଳେ ଏବେ ଆଉ ୩ଟି ଅତିରିକ୍ତ ପ୍ଲାଟଫର୍ମ ସ୍ଥାପନ କରାଯାଇଛି । ୮ ନମ୍ବର ପ୍ଲାଟଫର୍ମର ଦୂରତା ୧୫୦୭ ମିଟର ହୋଇଥିବା ବେଳେ ତାହା ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ହେବାର ଭିନ୍ନତାକୁ ସୂଚାଉଛି । ଏହି ଦୀର୍ଘତମ ପ୍ଲାଟଫର୍ମରୁ ଏକସଙ୍ଗେ ଦୁଇଟି ଟ୍ରେନ ଇଲେକ୍ଟ୍ରିକ ଇଞ୍ଜିନ ସହିତ ଯାତ୍ରା କରିପାରିବେ ।

ଉତ୍ତରପ୍ରଦେଶର ଗୋରଖପୁର ଦ୍ୱିତୀୟ ଦୀର୍ଘତମ ପ୍ଲାଟଫର୍ମ ୧,୩୬୬.୩୩ ମିଟର ଓ କେରଳର କୋଲାମ ଜଙ୍କସନ ତୃତୀୟ ଦୀର୍ଘତମ ପ୍ଲାଟଫର୍ମ ୧,୧୮୦.୫ ମିଟର ଅଟେ । ଏହି ଅବସରରେ ମୋଦୀ ୧୧୮ କିମି ଦୂରତା ବିଶିଷ୍ଟ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ନୂଆ ପ୍ରୋଜେକ୍ଟ ଅଞ୍ଚଳର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ନୂଆ ଇ-ୱେର ନିର୍ମାଣରେ ୮,୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Get real time updates directly on you device, subscribe now.