fbpx

ଓଡ଼ିଶା ଦେଖିବ BJP-BJD ମହାଲଢ଼େଇ: ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ, ଆସୁଛନ୍ତି ମୋଦୀ-ଶାହ-ନଡ୍ଡା, ବିଜେଡି ପକ୍ଷରୁ ଆସିଲା ଜବାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଏହା ପୂର୍ବରୁ ଚଳିତ ବର୍ଷ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ ପ୍ରକାଶ ପାଇଥିବା ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି । ତେଣୁ ଏବେ ବିଜେପିର ନଜର ଅନ୍ୟ ରାଜ୍ୟ ଉପରେ ରହିଛି । ତେବେ ସେହି ରାଜ୍ୟମାନଙ୍କ ମଧ୍ୟରୁ ବିଜେପି ଏବେ ଓଡ଼ିଶାକୁ ବେଶି ଗୁରୁତ୍ୱ ଦେଉଛି । ସେଥିପାଇଁ ବହୁବର୍ଷ ଧରି ରାଜ୍ୟରେ ଶାସନ ବଜାୟ ରଖିଥିବା ବିଜେଡିକୁ ହଟାଇ ସରକାର ଗଠନ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି ।

ତେବେ ସୂଚନା ମୁତାବକ, ଖୁବଶୀଘ୍ର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟ କେନ୍ଦ୍ରୀୟ ନେତୃବୃନ୍ଦ । ପୂର୍ବାପେକ୍ଷା ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ବିଜେପିର ପ୍ରଦର୍ଶନରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଏକଦା ପାଖାପାଖି ୧୭ ପ୍ରତିଶତ ଭୋଟ ପାଉଥିବା ବିଜେପି ଏବେ ୪୦ ପ୍ରତିଶତରେ ପହଞ୍ଚି ଯାଇଛି । ତେଣୁ ଗତ ୯ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ନିକଟକୁ ଯିବ ଭାଜପା । କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କ ଆଗରେ ମୋଦୀ, ଶାହଙ୍କ ଯାଦୁ କାମ କରିବନି ବୋଲି ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିଛି ।

ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନର ନାରା ଦେଇଥିଲା । ଯଦିଓ ଦଳ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ବିଜେଡି ଆଗରେ ହାର ମାନିଥିଲା, ତଥାପି ଦଳ ଅଧିକ ସଂଖ୍ୟକ ଲୋକସଭା ଓ ବିଧାନସଭା ସିଟ୍ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ତେଣୁ ଏଥର ଓଡ଼ିଶାକୁ ନେଇ ଦିଲ୍ଲୀ ରାଜନୀତି ମଧ୍ୟ ଚଳଚଞ୍ଚଳ ହେଉଥିବା କୁହାଯାଉଛି । କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ । ଓଡ଼ିଶାରେ କ୍ଷମତା ଅକ୍ତିଆର କରିବା ପାଇଁ ଚାଣକ୍ୟଙ୍କ ପେଡ଼ିରୁ ବାହାରିବ କୁକୁକ ଚାବିକାଠି ।

ତେବେ ନିର୍ବାଚନ ପାଇଁ ଆଉ କମ୍ ସମୟ ବାକିଥିବା ବେଳେ ଏହା ମଧ୍ୟରେ ପିଏମ ମୋଦୀ ଓଡ଼ିଶା ଗସ୍ତରେ ଆସିବେ । ମୋଦୀ ରାଜ୍ୟ ଗସ୍ତ କରି ରେଳ ଓ ସଡ଼କ ପ୍ରକଳ୍ପର ଶୁଭାରମ୍ଭ କରିବେ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରଙ୍କ ଯୋଜନାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ କିଭଳି ଭୋଟରଙ୍କୁ ଆକୃଷ୍ଟ କରାଯିବ ତାହା ଉପରେ ଫୋକସ୍ କରାଯିବ । ସେଥିପାଇଁ ବିଧାନସଭା ଓ ଲୋକସଭା ପାଇଁ ୨୦ ଜଣିଆ କୋର୍ କମିଟି ଗଠନ କରାଯିବ । ଏହି କମିଟି ପ୍ରତି ମାସରେ ବୈଠକ କରି କ୍ଷେତ୍ର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଉତ୍ସାହିତ ହୋଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଆସନ୍ତା ନିର୍ବାଚନରେ କଡ଼ା ଫାଇଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ଓଡ଼ିଶାର କିଛି ପୁରୁଖା ନେତାଙ୍କୁ ଦଳରେ ସାମିଲ କରିସାରିଲାଣି । ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଓଡ଼ିଶାରେ ନିଜର ବ୍ରାଞ୍ଚ ଖୋଲିବା ନେଇ ଉଦ୍ୟମ ଚଳାଇଛି । ତେଣୁ ଆସନ୍ତା ନିର୍ବାଚନରେ ବିଜେପିକୁ ବିଜେଡି, କଂଗ୍ରେସ, ଆପ, ବିଆରଏସ, ଟିଏମସି ପରି ପଞ୍ଚରଥୀଙ୍କ ସହ ମୁକାବିଲା କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.