fbpx

‘କାହାକୁ କହିବନି ଗଣଦୁଷ୍କର୍ମ ହୋଇଛି ବୋଲି, ନ ହେଲେ ବଦନାମ ହେବା ସହ ବାହାଘର ଭାଙ୍ଗିଯିବ, ପୀଡିତାକୁ ପୋଲିସର ପରାମର୍ଶ

କାନପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ବିରୁଦ୍ଧରେ ଅପରାଧକୁ ନେଇ ବହୁତ କଠୋର ରହିଥାନ୍ତି । ବହୁ ସମୟରେ ସେ ବିଭିନ୍ନ ମଞ୍ଚରେ କହୁଥିବାର ଶୁଣାଯାଏ କି ଯଦି ରାଜ୍ୟରେ କେହି ଯୁବତୀ କିମ୍ବା ମହିଳାଙ୍କ ଉପରେ ଅତ୍ୟାଚାର କରିବ ତେବେ ତାକୁ ନିଶ୍ଚୟ ଯମର ସାମ୍ନା କରିବାକୁ ପଡିବ । କିନ୍ତୁ କାନପୁରରେ ପୋଲିସ ଗଣଦୁଷ୍କର୍ମର ଶିକାର ଜଣେ ନାବାଳିକାକୁ ନ୍ୟାୟ ଦେବା ପରିବର୍ତ୍ତେ ତାକୁ ଲଜ୍ଜାଜନକ ପରାମର୍ଶ ଦେଇଛନ୍ତି  ।

ପୋଲିସ ବର୍ଦ୍ଦିରେ ଦାଗ ଲାଗିବା ଭଳି ଏହି ଖବର କାନପୁରର ସଞ୍ଚେଡି ଅଞ୍ଚଳରୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କ ୧୫ ବର୍ଷୀୟା ଝିଅ ଭାଇମାନଙ୍କ ସହ ମେଳା ଦେଖିବା ଲାଗି ଯାଇଥିଲା । ରାତିରେ ମେଳା ସରିବା ପରେ ସେ ଘରକୁ ଫେରୁଥିଲା । ନାବାଳିକାର ଅଭିଯୋଗ କି ଏହି ସମୟରେ ପଛରୁ ମୋଟରସାଇକେଲରେ ୨ ଜଣ ଯୁବକ ତାଙ୍କ ପାଖକୁ ଆସିଥିଲେ ଓ ତାଙ୍କୁ ଟଣାଓଟରା କରି ଜବରଦସ୍ତ ଏକ ପ୍ଲଟକୁ ନେଇଯାଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ଏହି ସମୟରେ ତାକୁ ସେହି ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ଦେଖିଥିଲେ । ତାଙ୍କ ମା’ ମଧ୍ୟ ଝିଅକୁ ଖୋଜି ଖୋଜି ସେଠାରେ ପହଞ୍ଚିଯାଇଥିଲେ ।

ଏହି ଘଟଣା ପରେ ନାବାଳିକା ଓ ତାଙ୍କ ମା’ ରାତିରେ ରିପୋର୍ଟ ଲେଖାଇବାକୁ ଥାନାରେ ପହଞ୍ଚିଥିଲେ । ଏହି ସମୟରେ ଥାନାରେ ଥିବା ପୋଲିସ ତାଙ୍କୁ କହିଥିଲେ ତୁମ ସହ ଦୁଷ୍କର୍ମ ହୋଇଛି ବୋଲି କାହାକୁ କୁହ ନାହିଁ । କାରଣ ଏହାଦ୍ୱାରା ତୁମର ବଦନାମ ହେବ ଓ ତୁମକୁ କେହି ବିବାହ କରିବେ ନାହିଁ । ଏହି ଅଭିଯୁକ୍ତମାନେ ତ ୩ ମାସ ଭିତରେ ଜେଲ୍‌ରୁ ବାହାରିଯିବେ ।

ପୀଡିତ ପରିବାର ଅଭିଯୋଗ କରିଛନ୍ତି କି ପୋଲିସ ବଳାତ୍କାର ମାମଲାରେ ଏଫଆଇଆର୍ ନ ଲେଖି କେବଳ ଅଶ୍ଳୀଳ ଆଚରଣ କରାଯାଇଛି ବୋଲି ରିପୋର୍ଟ ଲେଖିଥିଲା । ପୁନର୍ବାର ପରବର୍ତ୍ତୀ ଦିନ ମା’ ଝିଅ ଥାନାକୁ ଯାଇଥିଲେ ବି ପୋଲିସ କହିଥିଲା ଆମେ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରି ଦେଇଛୁ । ତୁମେ ଏହି ଗଣଦୁଷ୍କର୍ମ ବିଷୟରେ କାହାକୁ କିଛି କୁହ ନାହିଁ ।

କିନ୍ତୁ ଏହି ଘଟଣାରେ ପୋଲିସ କହିଛି ନାବାଳିକାର ପିତା ରିପୋର୍ଟ ଲେଖାଇଛନ୍ତି । ନାବାଳିକାର ଡାକ୍ତରୀ ମାଇନା କରାଯାଇଛି । ରିପୋର୍ଟ ଆସିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.