fbpx
BJD
BJD SKY
BJD SKY

ମହିଳା ଭୋଟ ବ୍ୟାଙ୍କ ଉପରେ ସଭିଙ୍କ ନଜର: ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜନୈତିକ ଦଳ, କେଉଁ ପଟକୁ ଢଳିବେ ମହିଳା ଭୋଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ନେଇ ଏବେଠାରୁ ତା’ର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅନ୍ୟପକ୍ଷରେ ଆସନ୍ତା ବର୍ଷ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବ । ତେଣୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କ୍ରମାଗତ ଷଷ୍ଠ ଥର ପାଇଁ କ୍ଷମତା ଦଖଲ ଲକ୍ଷ୍ୟରେ ରହିଛି ।

କେନ୍ଦ୍ରରେ ବିଜେପି ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟରେ ବିଜେଡି ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ପ୍ରସ୍ତୁତ ହେଉଛି । ସାଧାରଣ ଭାବେ ନିର୍ବାଚନ ପାଖେଇ ଆସିଲେ ପ୍ରତ୍ୟେକ ରାଜନୈତିକ ଦଳମାନେ ଜନତାଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ନୂଆ ନୂଆ ଜନହିତୈଷୀ ଯୋଜନା ଲାଗୁ କରିଥାନ୍ତି । ଏହା ନିରାଟ ସତ୍ୟ ।

ତେବେ ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କ ଭୋଟ ହାତେଇବା ପାଇଁ କେତେ ବ୍ୟାକୁଳ ତାହା ପ୍ରତ୍ୟକ୍ଷ ଭାବରେ ନହେଲେ ହେଁ ପରୋକ୍ଷରେ ଜଳ ଜଳ ହୋଇ ଦିଶୁଛି । କେନ୍ଦ୍ର ସରକାରଙ୍କ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସଂସଦରେ ପାସ ହେବା ପରେ ତାହା ଆଗାମୀ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କ ପାଇଁ ଏକ ମାଷ୍ଟରଷ୍ଟ୍ରୋକ ଭାବେ ଉଭା ହେବ ବୋଲି କୁହାଯାଉଛି । ଲୋକସଭାରେ ଏହା ସପକ୍ଷରେ ୪୫୪ଟି ଭୋଟ ଓ ବିପକ୍ଷରେ ୨ଟି ଭୋଟ ମିଳିଥିଲା । ସେହିପରି ରାଜ୍ୟସଭାରେ ୨୧୫ଟି ଭୋଟ ସପକ୍ଷରେ ମିଳିଥିଲା ।

ଏହି ବିଲଟି ସଂସଦରେ ଗୃହିତ ହେବା ଫଳରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ପ୍ରତିନିଧିତ୍ୱ କରିବାର ଅଧିକାର ମିଳିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେଡି ପ୍ରଥମେ ମହିଳା ସଂରକ୍ଷଣ ଦାବି ଉଠାଇଥିଲା । ମହିଳାଙ୍କୁ ସଂରକ୍ଷଣ ନେଇ ବହୁ ବର୍ଷ ଧରି ନବୀନ ପଟ୍ଟନାୟକ ସଂଘର୍ଷ କରି ଆସୁଥିଲେ । ତେଣୁ ଏହା ବିଜେଡିର ଏକ ବଡ଼ ବିଜୟ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା ।

ସେହିପରି ମୋଦୀ ସରକାର ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ କରିବାର ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟ ସରକାର ଖାଲି ପଡ଼ିଥିବା ବାଚସ୍ପତି ପଦ ପାଇଁ ଜଣେ ମହିଳା ବାଚସ୍ପତିଙ୍କ ନାମ ଘୋଷଣା କରିଥିଲେ । ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଟି ପଦକ୍ଷେପ ଗୋଟିଏ କଥା ସ୍ପଷ୍ଟ କରୁଛି । ମହିଳାଙ୍କ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବିଜେଡି ଓ ବିଜେପି ତତ୍ପର ହୋଇଉଠିଛନ୍ତି । ଓଡ଼ିଶାର ୫୦ ହଜାର ଗାଁରେ ସଭା-ସଂକୀର୍ତ୍ତନ କରି ସଚେତନତାର ବାର୍ତ୍ତା ଦେବାକୁ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ତେବେ ମହିଳାଙ୍କ ଭୋଟକୁ ପ୍ରାଧାନ୍ୟ ଦେବାର ଅନେକ କାରଣ ରହିଛି । ୨୦୧୧ ଜନଗଣନା ମୁତାବକ, ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ ମହିଳାଙ୍କ ସଂଖ୍ୟା ୪୮ କୋଟି ରହିଥିଲା । ଦେଶର ୧୯ଟି ରାଜ୍ୟରେ ମହିଳାଙ୍କ ଭାଗିଦାରିତା ୧୦ ପ୍ରତିଶତରୁ କମ୍ ରହିଛି । ଆଜି ପର୍ଯ୍ୟନ୍ତ ଦେଶରେ କେବଳ ୧୬ ଜଣ ମହିଳା ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି । ତେଣୁ ଆଗାମୀ ଦିନରେ ମହିଳାମାନେ ଯେଉଁ ଦଳକୁ ସମର୍ଥନ କରିବେ, ସେହି ଦଳ ବିଜୟ ହାସଲ କରିବାର ସମ୍ଭାବନା ଅଧିକ ରହିବ ।

Get real time updates directly on you device, subscribe now.