ଭୁବନେଶ୍ୱର:ପରମ୍ପରା ଯାହା ଆମକୁ ଆମ ଇତିହାସ ସହିତ ଏକ ଅଦୃଶ୍ୟ ଡୋରିରେ ବାନ୍ଧି ରଖିଥାଏ । ଏବଂ ଏହାକୁ ଜୀବିତ ରଖିବା ପାଇଁ ହିଁ ଆମେ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାଉ । କିନ୍ତୁ ଆଜି କାଲି ଏହା ସମୟ ସହିତ ଲୀନ ହେବାକୁ ବସିଲାଣି । ଲୋକମାନେ ପର୍ବ ପାଳନ କରିବାର ପଛର ଐତିହକୁ ଭୁଲି ଗଲେଣି ଆଉ କେବଳ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପାଇଁ ହିଁ ଯେପରି ଏହାକୁ ପାଳନ କରୁଛନ୍ତି ତାହା ଦେଖିବାକୁ ମିଳୁଛି ।
ତେବେ ଏହାରୁ ମୁଖ୍ୟ ଉଦାହରଣ ଆପଣଙ୍କ ପାଖରେ ଥିବା ଆପଣଙ୍କ ମୋବାଇଲ ଫୋନ ଠାରୁ ବା ଅଧିକ ଆଉ କେଉଁଟା ହୋଇ ପାରିବ । ଏବେ ମଧ୍ୟ ଖୁବ କମ ଲୋକ ଅଛନ୍ତି ଯାହାଙ୍କୁ କାର୍ତ୍ତିକ ମହାତ୍ମା ବିଷୟରେ ଜଣା । ଏହା ସହିତ କାହିଁକି ଏହି ମାସକୁ ପବିତ୍ର ମାସର ଆଖ୍ୟା ଦିଆଯାଇଛି ତାହା ମଧ୍ୟ ଜଣା ନଥିବ କେବଳ ଜଣା ଅଛି ତ ଏତିକି ଏହି ମାସରେ ଡଙ୍ଗା ଭସା ଯାଏ । ଆଉ ଏହା ପଛରେ ଯେଉଁ ଲୋକପ୍ରଥା ରହିଛି ତାହା ମଧ୍ୟ କାଁ ଭାଁ ଲୋକଙ୍କୁ ଜଣା । କିନ୍ତୁ ଏହା ମଧ୍ୟ ବହୁତ ବଡ କଥା ଯେ ଏହି ପରମ୍ପରା ଏବେ ମଧ୍ୟ ମୁଣ୍ଡ ଟେକି ରହିଛି । ହଁ, ସମୟର ପରିବର୍ତ୍ତନ ରେ ଏଥିରେ ଆଧୁନିକତାର ଛିଟା ମଧ୍ୟ ଦେଖିବାକୁ ମିଳିଛି । ସଂସ୍କୃତି କ୍ରମଶଃ ହ୍ରାସ ହେଉଥିବାର ଦେଖିବାକୁ ମିଳିଛି ।
କିମ୍ବଦନ୍ତୀ କଣ କୁହେ: କାର୍ତ୍ତିକ ପୂର୍ଣ୍ଣିମାର ପାହାନ୍ତି ପ୍ରହରେ ‘ଡଙ୍ଗାଭସା’ ଆମର ଏକ ପ୍ରାଚୀନ ପରମ୍ପରା । ଏକଦା ଓଡ଼ିଶାର ସାଧବ ପୁଅ ସୁଦୂର ବାଲି ଜାଭା, ସୁମିତ୍ରା ଦ୍ୱୀପକୁ ବଣିଜ କରି ଯାଉଥିବା ଆମର ଏକ ବିଶ୍ୱାସ । ଏହା ଆମକୁ ସମୁଦ୍ର ଯାତ୍ରାର ସୂଚନା ଦିଏ ଯାହା ଆମର ବୈଦିକ ଯୁଗରୁ ରହିଛି । ସିନ୍ଧୁ ସଭ୍ୟତାର ଖନନରୁ ବୋଇତର ଖୋଦିତ ଚିତ୍ର ମଧ୍ୟ ରହିଛି । ବହୁ ପ୍ରାଚୀନ କାଳରୁ ବାହାର ଦେଶମାନଙ୍କ ସହିତ ଆମର ବାଣିଜ୍ୟକ ଓ ସାଂସ୍କୃତିକ ସମ୍ପର୍କ ରହିଥିବାର ପ୍ରମାଣ ଅଛି ।ତେଣୁ ଆଜିର ଦିନ ରେ କଦଳୀ ବାସୁଙ୍ଗାର ଡଙ୍ଗା ତିଆରି କରି ଭସା ଯାଏ । କାଠିରେ ମୁଡା ହୋଇଥିବା ଘିଅ ଭିଜା ତୁଳା ସଳିତା ସହ ହାତରେ ଥାଏ ପାନପତ୍ର, ଗୁଆ । ଗୁଆ ସହ ପାନ ଅର୍ପଣ କରି ପାଣି ଚହଲାଇ ଡଙ୍ଗାକୁ ଭସାଇ ଦିଆଯାଏ । ହୁଳି ହୁଳି ଓ ଶଙ୍ଖ ନିନାଦ ସହ ସବୁରି କଣ୍ଠରେ ଗୋଟିଏ ଧ୍ୱନୀ “ଆ, କା, ମା, ଭୈ…ପାନ ଗୁଆ ଖାଇ । କିନ୍ତୁ ଏବେ କଦଳୀ ବାସୁଙ୍ଗା ନୁହେଁ ଦେଖିବାକୁ ମିଳୁଛି ଭଳି ଭଳି ରଙ୍ଗର ସୋଲ ଅଥବା କାଗଜ ଡଙ୍ଗା। ଆଉ ଏହି ଡଙ୍ଗା ସବୁ ନଦୀ ରେ ଭସେଇ ଆମେ ଖୁସି ହେଉଛୁ ସତ କିନ୍ତୁ ବାସ୍ତବ ରେ ଆମେ ପ୍ରକୃତି ମାଆ ର ଗର୍ଭକୁ ନଷ୍ଟ କରିବାର କୌଣସି ମଉକା ହାତଛଡା କରୁନାହୁଁ ।
ଆମେ କଣ କରିଲୁ :
ଆମକୁ ଥରୁଟିଏ ଭାବି ଦେଖିବା ଆବଶ୍ୟକ ଯେ ଆମେ କିଛି କ୍ଷଣର ଖୁସି ମୁହୂର୍ତ୍ତ ପାଇଁ ଯେଉଁ କାର୍ଯ୍ୟ କରୁଛୁ ତାହା ପ୍ରକୃତି ଉପରେ କେଉଁ ପ୍ରଭାବ ପକାଉଛି । ଯଦି ଆମେ ପ୍ରକୃତିକୁ ସୁସ୍ଥ ରଖିବାରେ ନିଜର କୌଣସି ଅବଦାନ ଦେଇ ପାରୁ ନାହନ୍ତି ତେବେ କାହିଁକି ଏହାକୁ ନଷ୍ଟ କରିବାରେ ଆମେ ଏତେ ଆଗବର? ହୁଏତ ଏହି ପ୍ରଶ୍ନ ଯଦି ଆପଣଙ୍କ ମନରେ ଆସିଥାଆନ୍ତା ତେବେ ଏହି ପର୍ବ ପାଳନ କରିବା ଆଳରେ ଆପଣ ପ୍ରକୃତିକୁ ନଷ୍ଟ କରିବାକୁ ଏତେ ଉତ୍ସାହିତ ହୋଇ ନଥାନ୍ତେ । ଏହାର ବିକଳ୍ପ ଆପଣ ନିଶ୍ଚୟ ଭାବି ଥାଆନ୍ତେ । ସୋଲ ଡଙ୍ଗାରେ ନଦୀଗର୍ଭକୁ ନଷ୍ଟ କରିବା ପୂର୍ବରୁ ଥରୁଟି ଏ ନିଶ୍ଚୟ ଭାବିଥାଆନ୍ତେ । କଣ ପରମ୍ପରାକୁ ଜୀବିତ ରଖିବାରେ ଏହା ହିଁ ଏକ ମାତ୍ର ଉପାୟ…