fbpx

ପଞ୍ଚାୟତ ନିର୍ବାଚନ ପରେ କାହାର ଗୁମର ଖୋଲିବେ ପ୍ରସାଦ, କେଉଁ ଦଳ କାହା ସହ କ’ଣ ଡିଲ୍ କରିଛି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଏକ ବିସ୍ଫୋରଣ ଘଟିଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରେସ୍ ମିଟର ସମସ୍ତ ବୟାନ ବହୁତ ଗୁମର ଖୋଲି ଦେଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରସାଦଙ୍କର କଂଗ୍ରେସ ଦଳ ପ୍ରତି ଥିବା ଅତୁଟ ଭଲପାଇବା ଲୁହ ରୂପରେ ଝରି ଆସିଥିଲା । କଂଗ୍ରେସ ଛାଡ଼ି ସେ ଅନ୍ୟ କେଉଁ ଦଳକୁ ଯିବାର ନାହିଁ ବୋଲି ପ୍ରସାଦ ଅଭିମାନଭରା କଣ୍ଠରେ ସ୍ପଷ୍ଟ କରିଥିଲେ । ତେବେ ପ୍ରସାଦ ନକହି ନକହି ଅନେକ କିଛି କହିଦେଇଛନ୍ତି । ତାଙ୍କ ବିରୋଧରେ ବିରାଟ ଷଡ଼ଯନ୍ତ୍ର କରାଯାଇଥିବା ସେ ପରୋକ୍ଷରେ କହିଦେଇଛନ୍ତି । ପୁଣି ରାଜ୍ୟ କଂଗ୍ରେସରେ ଡିଲ୍ କରାଯାଉଛି, ଯାହାର ଗୁମର ସେ ପଞ୍ଚାୟତ ନିର୍ବାଚନ ପରେ ଖୋଲିଦେବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ।

ତେବେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସତ୍ୟବାଦୀରୁ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିଲା । ଫଳରେ ଚାରିଆଡ଼େ ପ୍ରସାଦଙ୍କୁ ଦୋଷୀ ବୋଲି ପ୍ରଚାର କରାଯିବା ସହ ଅନ୍ୟ ଦଳ ଟିକେଟରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ଶେଷରେ ପରଦାରୁ ବାହାରି ଆଗକୁ ଆସି ଏଥିରେ ତାଙ୍କର କୌଣସି ଭୂମିକା ନାହିଁ, ଟିକେଟ ବଣ୍ଟନ ଦାୟିତ୍ୱ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ବୋଲି ପ୍ରସାଦ ସ୍ପଷ୍ଟ କରିଥିଲେ । ଗତ ୨୦୧୯ ନିର୍ବାଚନ ପରଠାରୁ ନିରବ ରହିଆସିଥିବା ପ୍ରସାଦ ଦଳ ଭିତରେ ଜଳୁଥିବା ଅନେକ ନିଆଁକୁ ଚିହ୍ନଟ କରିଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପ୍ରସାଦଙ୍କୁ କାହିଁକି ଦଳ ଅଣଦେଖା କରୁଛି, କ’ଣ ହୋଇପାରେ ତାହାର କାରଣ । ଏନେଇ ପିସିସି ପକ୍ଷରୁ ଉପଯୁକ୍ତ ସ୍ପଷ୍ଟୀକରଣ ଦିଆଗଲେ ସମସ୍ତ ତଥ୍ୟ ପଦାକୁ ଆସିପାରନ୍ତା । ସୂଚନାଯୋଗ୍ୟ ଯେ, ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଏକ ସାଧାରଣ କଥା । ତେବେ ନିର୍ବାଚନ ପୂର୍ବରୁ ଦଳର ସମସ୍ତ ନେତା ଏକଜୁଟ୍ ହୋଇ ଲଢ଼ିଲେ ଦଳ ଭଲ ପ୍ରଦର୍ଶନ କରିପାରନ୍ତା ବୋଲି କୁହାଯାଉଛି ।

Get real time updates directly on you device, subscribe now.