fbpx
BSKY SKY
BSKY SKY

ସଂସଦର ବଜେଟ୍ ଅଧିବେଶନ: ଆରମ୍ଭ ହେଲା ରାଷ୍ଟ୍ରପତିଙ୍କ ଅଭିଭାଷଣ

BSKY

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନର ପ୍ରଥମ ଭାଗ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଆଜି ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆସନ୍ତା ୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର ଅଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ଭାରତରେ ଏବେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି । ସର୍ଜିକାଲ ଷ୍ଟ୍ରାଇକ ଆତଙ୍କବାଦୀଙ୍କୁ କଡ଼ା ପ୍ରହାର ସଦୃଶ ହୋଇଛି । ୨୦୪୭ ସୁଦ୍ଧା ଦେଶକୁ ଗରିବ ମୁକ୍ତ କରାଯିବ ।

ଆଜି ଭାରତ ବିଶ୍ୱର ସମସ୍ୟାକୁ ସମାଧାନ କରିବାର ମାଧ୍ୟମ ପାଲଟିଛି । କ୍ରମାଗତ ଭାବେ ଦୁଇ ଥର ଏକ ସ୍ଥିର ସରକାର ବାଛିଥିବାରୁ ଏଥିପାଇଁ ଦେଶବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି । ଭ୍ରଷ୍ଟାଚାର ଗଣତନ୍ତ୍ରର ସବୁଠାରୁ ବଡ଼ ଶତ୍ରୁ । ସରକାରୀ କାର୍ଯ୍ୟାଳୟରେ ଭ୍ରଷ୍ଟାଚାର ବନ୍ଦ କରି ସରକାର ଅନେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ୩ ଶହରୁ ଅଧିକ ଯୋଜନାର ସିଧାସଳଖ ଫାଇଦା ଲାଭାର୍ଥୀ ପାଉଛନ୍ତି । ଗତବର୍ଷ ସରକାର ୩.୫ କୋଟି ଲୋକଙ୍କୁ ପକ୍କାଘର ଦେଇଥିଲେ । କରୋନା ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରାଥମିକତା ଦିଆଯାଇଥିଲା ।

୩ ବର୍ଷ ମଧ୍ୟରେ ୧୧ କୋଟି ଲୋକଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ନେଇ ଆୟୁଷ୍ମାନ ଭାରତ ଯୋଜନା, ପ୍ରତି ଘରକୁ ଜଳ ପହଞ୍ଚାଇବାକୁ ଜଳମିଶନ ଆରମ୍ଭ ହୋଇଛି । ଗରିବ ପରିବାରଙ୍କୁ ମାଗଣାରେ ପାଣି, ବିଜୁଳି ମିଳୁଛି । ୩୭୦ ଧାରା ଉଚ୍ଛେଦ ମୋ ସରକାରର ପରିଚୟ । ସରକାର ସର୍ବଦା ଦେଶର ହିତକୁ ଗୁରୁତ୍ୱ ଦେଉଛନ୍ତି । ଅପରାଧୀଙ୍କ ସମ୍ପତ୍ତିକୁ ଜବତ କରାଯାଇଛି । ଭାରତର ଅନ୍ନ ଯୋଜନା ଏବେ ସାରା ବିଶ୍ୱରେ ପ୍ରଶଂସିତ । କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଚାଷୀମାନେ ଉପୃତ ହୋଇଛନ୍ତି । ଭାରତ ପ୍ରତି ସାରା ବିଶ୍ୱର ନଜର ବଦଳିଯାଇଛି । ଦେଶ ଡିଜିଟାଲ ନେଟୱାର୍କ କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.