fbpx

‘ଏ ମାଟି ପାଖରେ ସବୁଦିନ ଋଣୀ ହୋଇ ରହିବି’ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୁରୁଣା ସ୍ମୃତିକୁ ମନେପକାଇଲେ ରାଷ୍ଟ୍ରପତି

ମୟୁରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ମୟୂରଭଞ୍ଜରେ ପହଂଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ତାଙ୍କୁ ତାଙ୍କୁ ସ୍ୱାଗତ କରିଥିଲେ। ଆଦିବାସୀ ପୁରୁଷ ଓ ମହିଳାମାନେ ପାରମ୍ପରିକ ବାଦ୍ୟ ଏବଂ ନୃତ୍ୟ ପରିବେଷଣ କରି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ସେ ନିଜ ଗ୍ରାମରେ ପହଞ୍ଚି ତାଙ୍କ ଦିବଂଗତ ସ୍ୱାମୀ ଶ୍ୟାମାଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ରାଇରଙ୍ଗପୁର ଷ୍ଟାଡିୟମରେ ଆୟୋଜିତ ଆଜି ସନ୍ଧ୍ୟାରେ ଏକ ନାଗରିକ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି।

ଏହି ଅବସରରେ ବରିଷ୍ଠ ନାଗରିକ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଷ୍ଟ୍ରପତି ହେବା ପରେ ମୁଁ ମୋ ଅଞ୍ଚଳକୁ ପ୍ରଥମ ଥର ଆସିଛି। ଏଥିପାଇଁ ମୁଁ ବହୁତ ଆନନ୍ଦିତ। ଏଠାକୁ ମତେ ନିମନ୍ତ୍ରଣ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ରାଷ୍ଟ୍ରପତି କହିଛନ୍ତି, ପିତାମାତାଙ୍କୁ ମୁଁ ପ୍ରଣାମ ଜଣାଉଛି। ସେମାନେ ପାଠୁଆ ନ ହୋଇଥିଲେ ମଧ୍ୟ ସେମାନେ ମୋତେ ପାଠ ପଢ଼ାଇଥିଲେ। ଝିଅପିଲାକୁ କାହିଁକି ପାଠ ପଢ଼ାଉଛ, ଏଥିରୁ କ’ଣ ଲାଭ ମିଳିବ ? ଲୋକମାନେ କହିବା ସତ୍ତେ୍ୱ ମଧ୍ୟ ମୋ ବାପା ସେମାନଙ୍କ କଥାକୁ କର୍ଣ୍ଣପାତ ନ କରି ମୋତେ ଶିକ୍ଷିତ କରିଥିଲେ ବୋଲି ରାଷ୍ଟ୍ରପତି ତାଙ୍କର ପୁରୁଣା ସ୍ମୃତିକୁ ଉପସ୍ଥିତ ଜନତାଙ୍କୁ ଶୁଣାଇଥିଲେ।

ରାଇରଙ୍ଗପୁରବାସୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ, ‘ଆଜି ମୁଁ ଯାହା ପାଇଛି, ତାହା ଆପଣମାନଙ୍କ ପାଇଁ ପାଇଛି। ମୋର ଜନ୍ମ ଉପରବେଡ଼ାରେ। ହେଲେ ଦ୍ବିତୀୟ ଜନ୍ମ ହୋଇଥିଲା ରାଇରଙ୍ଗପୁରରେ। ବାପାମାଆଙ୍କ ପ୍ରେରଣା ପାଇ ମୁଁ ପାଠ ପଢ଼ିଥିଲି। ସେମାନେ ପାଠର ମୂଲ୍ୟ ବୁଝିଥିଲେ ବୋଲି ମୋତେ ସେ ସୁାଯୋଗ ଦେଲେ। ଫଳରେ ଚାକିରି କରିବାର ସୁଯୋଗ ମିଳିଲା। ଚାକିରି ଛାଡ଼ି ସ୍ବେଚ୍ଛାକୃତ ଶିକ୍ଷକତା କଲି। ସମୟ ବହୁତ ବଳବାନ। ବୋଧହୁଏ ସେଇଥି ପାଇଁ ମୁଁ ରାଜନୀତିକୁ ଆସିଲି। ପ୍ରଥମେ ରାଇରଙ୍ଗପୁର ମ୍ୟୁନିସିପାଲିଟିର କା‌ଉନ୍‌ସିଲର ଏବଂ ପରେ ଉପାଧ୍ୟକ୍ଷ ହେଲି। କାର୍ଯ୍ୟକାଳକୁ ୩ ବର୍ଷ ପୂରି ନଥିଲା ବେଳେ ଆପଣମାନେ ମୋତେ ବିଧାନସଭା ପଠାଇଲେ। ମୁଁ ଯାହା କିଛି ହୋଇଛି ଏ ମାଟି ପାଇଁ ହୋଇଛି। ଏ ମାଟି ପାଖରେ ସବୁଦିନ ଋଣୀ ହୋଇ ରହିବି। ସେ ଋଣ ଶୁଝିବାକୁ ଚେଷ୍ଟା କରୁଛି। ହେଲେ କେବେ ଶୁଝିପାରିବି ନାହିଁ। ଏ ମାଟିର ନାଁ କେତେ ଉପରକୁ ନେବି, ସେକଥା ମୁଁ ଜାଣିନି। ‌ହେଲେ ମୋ ମାଟିକୁ କେବେ ବଦନାମ କରିବିନି’।

ମୁଁ ଏଭଳି ପଦବୀରେ କେବେ ରହିବି ବୋଲି ସ୍ୱପ୍ନରେ ଭାବି ନ ଥିଲି ବୋଲି ରାଷ୍ଟ୍ରପତି କହିଛନ୍ତି। ମୁଁ ସବୁବେଳେ ଭାବୁଥିଲି, ମୁଁ ଏମିତି କିଛି କାମ କରିବି, ଯାହା ଲୋକଙ୍କ କାର୍ଯ୍ୟରେ ଲାଗିବ ବୋଲି କହି ରାଷ୍ଟ୍ରପତି ଭାବବିହ୍ୱଳ ହୋଇପଡ଼ିଥିଲେ। ମୁଁ ଶିକ୍ଷକତା କରୁଥିବା ସମୟରେ ପିଲାମାନଙ୍କ ପାଖରୁ ଶିକ୍ଷା ପାଇବା ସହିତ ଅନ୍ୟ ଶିକ୍ଷକ ତଥା ଲୋକମାନଙ୍କ ପାଖରୁ ମଧ୍ୟ ଅନେକ ଶିକ୍ଷା ପାଇଥିବା ରାଷ୍ଟ୍ରପତି ଅଭିହିତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ନିଜ ବନ୍ଧୁ, ପରିଜନ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହିତ ମନଭରି କଥା ହୋଇଥିବାର ଦେଖିବାକୁ ମିଳିଥିଲା।

ସେହିପରି ରାଇରଙ୍ଗପୁର ଷ୍ଟାଡିୟମରେ ଉପସ୍ଥିତ ଜନତା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଖୁବ୍‍ ନିକଟରୁ ଦେଖି ଆନନ୍ଦ ପ୍ରକାଶ କରିଛନ୍ତି। ଏହି ସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ରାଷ୍ଟ୍ରପତି କୁନି ପିଲାମାନଙ୍କ ସହିତ ମଧ୍ୟ କଥା ହୋଇଥିବାର ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.