fbpx

‘ରାଷ୍ଟ୍ରପତି ଜଣେ ଅତି ଭଲ ଏବଂ ସ୍ନେହୀ ମହିଳା’… ଦଳୀୟ ନେତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଟିଏମସି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ମମତା ବାନାର୍ଜୀ ବଡ଼ ଆଡ଼ୁଆରେ ପଡିଥିଲେ । ବିରୋଧୀ ଲଗାତାର ମମତା କ୍ଷମା ମାଗନ୍ତୁ ବୋଲି ଦାବି କରୁଥିଲେ । ଏହାରି ମଧ୍ୟରେ ମମତା ବାନାର୍ଜୀ ଦଳୀୟ ନେତା ଅଖିଲ ଗିରିଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଛନ୍ତି। ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା ଅଟନ୍ତି । ମୁଁ ମୋ ଦଳର ବିଧାୟକଙ୍କ ଶବ୍ଦକୁ ନିନ୍ଦା କରୁଛି । ଏଥି ପାଇଁ ମୁଁ କ୍ଷମା ମାଗୁଛି।’

‘ପାର୍ଟି ବିଧାୟକ ଅଖିଲ ଯାହା କରିଛନ୍ତି, ତାହା ଭୁଲ୍ ଅଟେ। ଭବିଷ୍ୟତରେ ଏବଳି ଭୁଲ୍ ହେଲେ ପାର୍ଟି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ।’ ଅଖିଲ ଗିରି ନନ୍ଦୀଗ୍ରାମରେ ଏକ ସଭାରେ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ। ସେ କହିଥିଲେ ଯେ, ‘ଆମେ କାହାର ରୂପ ଚେହେରାଙ୍କୁ ବିଚାର କରୁ ନାହୁଁ । ଆମେ ରାଷ୍ଟ୍ରପତିଙ୍କ ଆସନକୁ ସମ୍ମାନ କରୁ । କିନ୍ତୁ ଦେଖନ୍ତୁ ଆମର ରାଷ୍ଟ୍ରପତି କିପରି ଦିଶୁଛନ୍ତି ?’ ତେବେ ଅଖିଲ ଗିରିଙ୍କ ଏହି ବୟାନ କ୍ୟାମେରାରେ କଏଦ ହୋଇଯାଇଥିଲା। ଯାହା ଖୁବ୍ ଭାଇରାଲ ହେଉଛି।

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ରାଜ୍ୟ ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ ସୋମବାର କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହି ପିଟିସନରେ ଅଖିଲ ଗିରିଙ୍କୁ ସମ୍ବିଧାନର ସର୍ବୋଚ୍ଚ ପଦବୀକୁ ଅସମ୍ମାନ କରି ଦଣ୍ଡିତ କରିବାକୁ ଦାବି କରାଯାଇଛି। ସୋମବାର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବଙ୍କ ବେଞ୍ଚରେ ଏହି ମାମଲା ଦାୟର କରାଯାଇଛି।

Get real time updates directly on you device, subscribe now.