ଗଣତନ୍ତ୍ରର ଜନନୀ ଭାରତ, ରାଷ୍ଟ୍ର ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକଙ୍କ ସହଯୋଗ ଲୋଡ଼ା…

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦ ଭବନରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏବଂ ରାଜ୍ୟସଭା ଉପସଭାପତି ହରିବଂଶଙ୍କ ସମେତ ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସଭାକୁ ସମ୍ବୋଧନ କରିଥିଲେ । ଭାରତର ସବୁଠୁ ପବିତ୍ର ଗ୍ରନ୍ଥ ସମ୍ବିଧାନ ବୋଲି ମହାମହିମ କହିଥିଲେ । ୭୫ ବର୍ଷ ପୂର୍ବେ ଏହି କେନ୍ଦ୍ର ସଭା ଗୃହରେ ସ୍ୱାଧୀନ ଭାରତର ସମ୍ବିଧାନ ନିର୍ମାଣ କରାଯାଇଥିଲା । ସେଦିନର ସମ୍ବିଧାନ ସଭା ଜରିଆରେ ଭାରତବାସୀ ସମ୍ବିଧାନକୁ ଆପଣେଇଥିଲେ । ଆମ ସମ୍ବିଧାନ ଲୋକତାନ୍ତ୍ରୀକ ଗଣତନ୍ତ୍ରର ସୁଦୃଢ଼ ଆଧାର ଶୀଳା । ଆମ ସମ୍ବିଧାନ ଆମ ସାମୂହିକ ଓ ବ୍ୟକ୍ତିଗତ ସମ୍ମାନକୁ ସୁନିଶ୍ଚିତ କରିଥାଏ । ସମ୍ବିଧାନ ସଭା ଅଧ୍ୟକ୍ଷ ଡା. ରାଜେନ୍ଦ୍ର ପ୍ରସାଦ ଏବଂ ସମିତି ଅଧ୍ୟକ୍ଷ ଡା. ବାବା ସାହେବ ଆମ୍ବେଦକର ସମ୍ବିଧାନ ନିର୍ମାଣର ମୁଖ୍ୟ ପୁରୋଧା ସାଜିଥିଲେ । ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନରେ ପ୍ରଗତୀର ଛାପ ରହିଛି । ଯାହା ଭାରତ ଲୋକତନ୍ତ୍ରର ଜନନୀ ବୋଲି ପ୍ରମାଣିତ କରୁଛି । ସମ୍ବିଧାନ ନିର୍ମାଣରେ ୧୫ ଜଣିଆ ସଦସ୍ୟଙ୍କ ଯୋଗଦାନ ମଧ୍ୟ କିଛି କମ୍ ନୁହେଁ ।

ସମ୍ବିଧାନ ଅନୁସାରେ କାର୍ଯ୍ୟପାଳିକା, ବିଧାୟିକା ଓ ନ୍ୟାୟପାଳିକାର ଦାୟିତ୍ୱ ସାଧାରଣ ଲୋକଙ୍କ ଜୀବନକୁ ସୁଗମ କରିବା । ଏ ନେଇ ସମସ୍ତେ ଏକାଠି ହୋଇ କାମ କରିବାକୁ ପଡ଼ିବ । ସଂସଦ ଦ୍ୱାରା ପାରିତ ଅଧିନିୟମରୁ ଦେଶର ବହୁ ଉନ୍ନତି ହୋଇଛି । ରାଷ୍ଟ୍ରର ଆର୍ଥିକ ଐକୀକରଣ ପାଇଁ ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ଟ୍ୟାକ୍ସ ସୁଧାର ହୋଇଛି । ଯାହା ଗୁଡ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ଦ୍ୱାରା ହିଁ ସମ୍ଭବ ହୋଇପାରିଛି । ନାରୀ ଶକ୍ତି ଅଧିନିୟମ ଦ୍ୱାରା ଦେଶରେ ନାରୀ ସଶକ୍ତିକରଣର ନୂଆ ଧାରା ସୃଷ୍ଟି ହୋଇଛି । ଗରିବଙ୍କୁ ପକ୍କା ଘର ମିଳିଛି, ସାଧାରଣ ଲୋକଙ୍କ ପାଇଁ ଚିକିତ୍ସା ସେବା ସାଙ୍ଗକୁ ଖାଦ୍ୟ ଓ ଜଳ ଭଳି ଅତିରିକ୍ତ ସେବା ମିଳୁଛି । ଯାହା ସମ୍ବିଧାନିକ ଆଦର୍ଶକୁ ଆଗକୁ ବଢ଼ାଉଥିବା ସେ କହିଛନ୍ତି । ପରିଶେଷରେ ସଭାରେ ଉପସ୍ଥିତି ସଦସ୍ୟଙ୍କୁ ସମ୍ବିଧାନ ଦିବସର ଶୁକାମନା ଦେଇ ନିଜ ବକ୍ତବ୍ୟ ସାରିଥିଲେ । ୨୫ ତାରିଖରୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇସାରିଛି । ଆଜି କାର୍ଯ୍ୟକାଳ ଆରମ୍ଭ ହେବା ପରେ ରାଷ୍ଟ୍ରପତି ସଂସଦ ଭବନରେ ପହଞ୍ଚିଥିଲେ ।