fbpx
BSKY
BJD MC SKY
BJD YOUTH SKY

ରାଷ୍ଟ୍ରପତି ନିର୍ବାଚନ: ଆଜି ବିଜେପିର ବଡ ବୈଠକ, ୧୪ ନେତାଙ୍କୁ ନେଇ ପ୍ରସ୍ତୁତ ହେବ ରଣନୀତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ରବିବାର ବୈଠକ କରିବାକୁ ଯାଉଛି। ପାର୍ଟିର ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଆଗାମୀ ନିର୍ବାଚନକୁ ନେଇ ବିସ୍ତୃତ ବିଚାର ବିମର୍ଶ କରାଯିବ। ପାର୍ଟି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମସ୍ତ ରାଜନୈତିକ ଦଳ ସହ ଯୋଗାଯୋଗ କରି ସହମତି ଯୋଗାଡ ପାଇଁ ଦାୟିତ୍ଵ ଦେଇଛି।

ଜୁଲାଇ ୧୮ରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ବିଜେପି ରାଜ୍ୟ ଶାଖା ଏବଂ ସହଯୋଗୀଙ୍କ ମଧ୍ୟରେ ସମନ୍ଵୟ ପାଇଁ ୧୪ ସଦସ୍ୟଙ୍କ ସମନ୍ଵୟ କମିଟି ଗଠନ କରିଛି। କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କୁ ନିର୍ବାଚନ ପରିଚାଳନା କମିଟିର ସମନ୍ଵୟକ କରାଯାଇଛି। ଏହା ବ୍ୟତୀତ ବିଜେପିର ସାଧାରଣ ସଂପାଦକ ବିନୋଦ ତାଓ୍ଵଡେ ଏବଂ ସିଟି ରବିଙ୍କୁ ସମିତିର ଉପ ସମନ୍ଵୟକ କରାଯାଇଛି।

ଏହି କମିଟିରେ କେନ୍ଦ୍ରୀୟ ମନ୍ତ୍ରୀ ଜି କିଶନ ରେଡ୍ଡୀ, ଅଶ୍ଵିନୀ ବୈଷ୍ଣବ ଏବଂ ସର୍ବାନନ୍ଦ ସୋନୋଓ୍ଵାଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ, ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପାଓ୍ଵାର, ଜାତୀୟ ସାଧାରଣ ସଂପାଦକ ତରୁଣ ଚୁଘ, ଜାତୀୟ ଉପ ସଭାପତି ଡିକେ ଅରୁଣ ଏବଂ ଜାତୀୟ ସଂପାଦକ ଋତୁରାଜ ସିହ୍ନା ସାମିଲ୍।

ଏହା ବ୍ୟତୀତ ବିଜେପିର ମହିଳା ମୋର୍ଚ୍ଚା ପ୍ରମୁଖ ବନତି ଶ୍ରୀନିବାସ, ଲୋକସଭା ସାଂସଦ ଡ. ରାଜଦୀପ ରୟ ଏବଂ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଏହି କମିଟିରେ ସଦସ୍ୟ କରାଯାଇଛି। ରବିବାର ହେବାକୁ ଥିବା ଏହି ବୈଠକରେ କମିଟିର ସଦସ୍ୟଙ୍କୁ ସେମାନଙ୍କ ଦାୟିତ୍ଵ ବିଷୟରେ ଅବଗତ କରାଯିବ।

ଏହି ୧୪ ସଦସ୍ୟଙ୍କୁ ଅଲଗା ଅଲଗା ରାଜ୍ୟର ଦାୟିତ୍ଵ ଦିଆଯାଇପାରେ। ଏହି ସଦସ୍ୟ ଉକ୍ତ ରାଜ୍ୟରେ ରହି କାମ କରିବେ। ଅନ୍ୟପଟେ ବିରୋଧୀ ଦଳ ସର୍ବସମ୍ମତରେ ଜଣେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୮ରେ ମତଦାନ ଏବଂ ଜୁଲାଇ ୨୧ରେ ମତଗଣନା ହେବ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର‌୍ୟ୍ୟକାଳ ଜୁଲାଇ ୨୪ରେ ସମାପ୍ତ ହେବାକୁ ଯାଉଛି।

Get real time updates directly on you device, subscribe now.