fbpx

କାଳିଆ ‘କଳା’ରେ ସମର୍ପିତା ପ୍ରିୟଙ୍କା, ଚିତ୍ର କହୁଛି କଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ ଅନନ୍ୟ ଆଉ ଅସରନ୍ତି । ଅଦୃଶ୍ୟ କିନ୍ତୁ ଭାବମୟ । କେତେବେଳେ, କାହା ସହ, କେଉଁଠି, କିପରି ହୁଏ ତାହା କେହି ଜାଣେନା । ଆଉ ସେଇ ପ୍ରେମ ପାଇଁ ସବୁରି ହୃଦୟରେ ଅନେକ ଆଶା । କିନ୍ତୁ ମହାପ୍ରଭୁଙ୍କ ପ୍ରେମରେ ପଡ଼ିବା ସହଜ କଥା ନୁହେଁ । ଦିବ୍ୟ ଶକ୍ତିର ଚେତନା ଜାଗ୍ରତ କରିବା ଓ କାଳିଆ କଳାରେ ଭାବ ବୋଲି ଚିତ୍ରକୁ ଜୀବନ୍ତ କରିବାର ସାଧାନ ଖୁବ୍ ବିରଳ । ଆଉ ସେଭଳି ପ୍ରେମରେ ପାଗେଳୀ ହୋଇପଡ଼ିଛନ୍ତି ପ୍ରିୟଙ୍କା ।

କି ଦିନ କି ରାତି, କାଳିଆ ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା । ଭୁବନେଶ୍ୱରରେ ରହୁଥିବା ପ୍ରିୟଙ୍କା ସାହାଣୀଙ୍କୁ ଭୋକ ନାହିଁ କି ରାତିରେ ନିଦ ନାହିଁ । ଦିନ ରାତି ଏକ କରି କାଳିଆ ପାଇଁ ନିର୍ମାଣ କରୁଛନ୍ତି ଏକ ସହ ଆଠ ପେଣ୍ଟିଂ । କେତେବେଳେ ଘରର ଦରକାରୀ ସାମଗ୍ରୀ ତ ଆଉ କେତେବେଳେ ଅଦରକାରୀ ଜିନିଷକୁ ବ୍ୟବହାର କରି ନିର୍ମାଣ କରୁଛନ୍ତି ଜଗତର ନାଥ ଜଗନ୍ନାଥଙ୍କ ପଟ୍ଟଚିତ୍ର । ପ୍ରିୟଙ୍କା ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର । କାର୍ଯ୍ୟ ବ୍ୟସ୍ତତା ଭିତରରେ ମଧ୍ୟ ସେ ପେଣ୍ଟିଂ କଳାକୁ ଆପଣେଇ ନେଇଛନ୍ତି । ନିଜର ନିଖୁଣ କଳା ଓ ଜଗାକୁ ଉପହାର ଦେବାର ଝୁଙ୍କ୍ ଆଗରେ ଫେଲ ମାରିଛି ସବୁ ବାଧାବିଘ୍ନ ।

ବାପାଙ୍କ ଶେଷ ଇଛା ପୂରଣ କରି ତାଙ୍କୁ ସ୍ୱର୍ଗଦ୍ୱାରରେ ସ୍ଥାନ ଦେବା ପରେ ଭୋଳା ବାବାଙ୍କ ପ୍ରେମ ନଈରେ ଭାସୁଥିବା ପ୍ରିୟଙ୍କାଙ୍କୁ ହଠାତ କାଳିଆ କିମିଆ କରିଥିଲା । ଆଉ ସେହି ଦିନରୁ କାଳିଆ କାଳିଆ ହେଉଛନ୍ତି । ଏଥର ରଥଯାତ୍ରାକୁ ସ୍ପେସିଆଲ କରିବାକୁ କାଳିଆ ପାଇଁ ପ୍ରସ୍ତୁତ କରୁଛନ୍ତି ୧୦୮ କାଳିଆର ପଟ୍ଟଚିତ୍ର । ଯେଉଁଠି ପାଇଁ ସେ ରାତି ରାତି ଅନିଦ୍ରା ରହୁଛନ୍ତି । ନିଜର କଳାକୁ ପଦର୍ଶନ କରି ସେ ବିଭିନ୍ନ ସ୍ଥାନରୁ ପୁରଷ୍କୃତ ମଧ୍ୟ ହୋଇଛନ୍ତି । ଏହାସହ ଆଗାମୀ ଦିନରେ ଦେଶ ତଥା ବିଦେଶରେ ମଧ୍ୟ ନିଜର କଳାକୁ ଦେଖାଇବାକୁ ସେ ଚିନ୍ତା କରିଛନ୍ତି । ଯାହାକୁ ତାଙ୍କ ପରିବାର ପକ୍ଷରୁ ମଧ୍ୟ ପୂର୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ମା’ କଳା ସଂସ୍କୃତିକୁ ବଞ୍ଚାଇବା ସହ ନିଜ ବାପାଙ୍କ ଭଲପାଇବା ତାଙ୍କୁ କାଳିଆ ପ୍ରେମରେ ପକାଇ ଦେଇଛି । କାଳିଆ ଠାକୁରଙ୍କୁ ସେ ନିଜର ବାପା ବୋଲି ମାନି ନିଜ ସ୍ୱପ୍ନ ପୂରଣ ଦିଗରେ ଅଗ୍ରସର ହେଉଛନ୍ତି ।

Get real time updates directly on you device, subscribe now.