ବିବାହିତା ଝିଅ ପାଇପାରିବ ପିତାଙ୍କ ସମ୍ପତ୍ତି ହେଲେ ନିମ୍ନୋକ୍ତ ସ୍ଥିତିରେ ସଂପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ଝିଅ
ନୂଆଦିଲ୍ଲୀ: ଆମ ସାମାଜିକ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି ସତ କିନ୍ତୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ ଆସି ନାହିଁ । ଆଜି ବି ଲୋକମାନେ ଭାବୁଛନ୍ତି ପିତାଙ୍କର ସମ୍ପତ୍ତି ଉପରେ ପୁଅର ପ୍ରଥମେ ଅଧିକାର ରହିଛି । କିନ୍ତୁ ଭାରତରେ ଝିଅମାନଙ୍କର ଅଧିକାରକୁ ନେଇ ବି ବହୁ ଆଇନ ତିଆରି ହୋଇଛି । ଏହା ସତ୍ତେ୍ୱ ବି ସମାଜରେ ବହୁ ପୁରୁଣା ପରମ୍ପରା ଆଜି ବି ଚାଲୁ ରହିଛି ।
ଝିଅର ବାହାଘର ହୋଇଯିବା ପରେ ସେ ନିଜ ଶାଶୂ ଘର ଚାଲିଯାଏ । ଏହାପରେ ବାପଘର ସଂପତ୍ତିରେ ତାର ଆଉ ଅଧିକାର ନ ଥାଏ ବୋଲି ସାଧାରଣରେ କୁହାଯାଏ । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିଥାଏ ବାହାଘର ପରେ ବାପାଙ୍କ ସଂପତ୍ତି ଉପରେ କ’ଣ ଝିଅର ଅଧିକାର ରହେ ନାହିଁ ।
ସଂପତ୍ତି ଭାଗବଣ୍ଟା ନେଇ ଭାରତରେ ସ୍ୱତନ୍ତ୍ର ଆଇନ ତିଆରି ହୋଇଛି । ଏହି ଆଇନ ଅନୁସାରେ ପିତାଙ୍କ ସଂପତ୍ତି ଉପରେ କେବଳ ପୁଅର ନୁହେଁ ଝିଅର ବି ସମାନ ଅଧିକାର ରହିଛି । କିନ୍ତୁ ଏ ବିଷୟରେ ମହିଳାଙ୍କ ମଧ୍ୟରେ ସଚେତନତା କମ୍ ରହିଛି । ସଚେତନତା ଅଭାବରୁ ଝିଅମାନେ ଏ ସମ୍ବନ୍ଧରେ ସ୍ୱର ବି ଉଠାଇ ପାରୁ ନାହାନ୍ତି ।
ବିବାହିତା ଝିଅର କେତେ ଅଧିକାର ରହିଛି?
ବିବାହିତା ଝିଅ ନିଜ ପିତାଙ୍କ ସଂପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବ କି ନା ? ଏହାର ଉତ୍ତର ହଁ । ୨୦୦୫ରେ ହିନ୍ଦୁ ଉତ୍ତରାଧିକାରୀ ଆଇନ ୧୯୫୬ର ସଂଶୋଧନ ପରେ କନ୍ୟାକୁ ସମ୍ପତ୍ତିରେ ସମାନ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଛି । ଝିଅର ବିବାହ ପରେ ତାର ଏହି ଅଧିକାର କ୍ଷେତ୍ରରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ଅର୍ଥାତ୍ ବିବାହ ପରେ ମଧ୍ୟ ପିତାର ସଂପତ୍ତି ଉପରେ ଝିଅର ସେତିକି ଅଧିକାର ରହିବ ଯେତିକି ଅଧିକାର ପୁଅର ରହିଛି ।
କେଉଁ କ୍ଷେତ୍ରରେ କନ୍ୟା ସଂପତ୍ତି ପାଇପାରିବ ନାହିଁ:
ଯଦି ପିତା ନିଜର ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସଂପତ୍ତି ପୁଅ ନାମରେ କରିଦେଇ ଯାଇଥିବେ ତେବେ ଏପରି ସ୍ଥିତିରେ ଝିଅ ନିଜ ପିତାଙ୍କ ସଂପତ୍ତି ଉପରେ ଦାବୀ କରିପାରିବ ନାହିଁ । ଅନ୍ୟପକ୍ଷରେ ସ୍ୱଅର୍ଜିତ ସଂପତ୍ତି ଉପରେ ମଧ୍ୟ କନ୍ୟା ପକ୍ଷର ଦାବୀ ଦୂର୍ବଳ ହୋଇଯିବ । ଯଦି ପିତା ନିଜ ରୋଜଗାର ପଇସାରେ ସଂପତ୍ତି କିଣିଛନ୍ତି , ଘର ତିଆରି କରିଛନ୍ତି ତେବେ ସେ ଯାହାକୁ ଚାହିଁବେ ତାହାକୁ ଏହି ସମ୍ପତ୍ତି ଦେଇପାରିବେ । ସ୍ୱଅର୍ଜିିତ ସଂପତ୍ତିକୁ ନିଜ ଇଚ୍ଛାରେ କାହାକୁ ଦେବା ପିତାଙ୍କର ଆଇନତଃ ଅଧିକାର ରହିଛି ।