fbpx
BSKY
BJD SHG SKY
BJD YOUTH SKY

ବଡ଼ଦାଣ୍ଡର ଚଉଡ଼ା ବଢ଼ିବ ୪୦ ଫୁଟ! ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ପୁରୀର ଐତିହ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥ ସବୁ ସମୟରେ ଭକ୍ତମାନଙ୍କ ହୃଦୟରେ ରହିଥାନ୍ତି । ତେବେ ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସେବାୟତ, ଶ୍ରଦ୍ଧାଳୁ, ମହାପ୍ରସାଦ ଆଦିକୁ ନେଇ ଅନେକ ସମୟରେ କିଛି ନା କିଛି ଚର୍ଚ୍ଚା ହୋଇଥାଏ । କିଛିଦିନ ପୂର୍ବରୁ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ମହାପ୍ରଭୁଙ୍କ ବଡ଼ଦାଣ୍ଡର ଓସାର ବୃଦ୍ଧି ହୋଇପାରେ । ଏନେଇ ଯୋଜନା ଜାରି ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମହାପ୍ରଭୁଙ୍କ ଶ୍ରୀମନ୍ଦିର କରିଡରକୁ ସଂଯୋଗ କରୁଥିବା ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରଥମ ଦଫାରେ ବାଲିସାହି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ବଡ଼ଦାଣ୍ଡର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବ । ଏଥିସହିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଏକ ସୂଚନା ମିଳିଛି ।

ତେବେ ଏହି ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ପାଖାପାଖି ୨୫୦ କୋଟିର ବ୍ୟୟ ଅଟକଳ କରାଯାଇଥିବା ବେଳେ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଭିତରେ ପାଖାପାଖି ୨.୮ କିମି ରାସ୍ତା ଏହି ଯୋଜନାରେ ସାମିଲ ହେବ । ପ୍ରକଳ୍ପ ଡିଜାଇନ ମୁତାବକ, ବଡ଼ଦାଣ୍ଡର ଉଭୟ ପାଖର ୨୦ ଫୁଟ ଲେଖାଏଁ ରାସ୍ତା ଖାଲି କରାଯିବ । ବର୍ତ୍ତମାନ ଉଭୟ ପାଖରେ ୮ ଫୁଟ ସ୍ଥାନ ଖାଲି ଥିବା ସର୍ଭେରୁ ଜଣାପଡ଼ିଛି ।

ତେବେ ଆଉ ୧୨ ଫୁଟ ରାସ୍ତା କେଉଁଠୁ ଆସିବ ତାହା ବର୍ତ୍ତମାନ ଚିନ୍ତାର ବିଷୟ । ତେବେ ଏହି ଯୋଜନାରେ ରାସ୍ତାର ଉଭୟ ପାଖରେ ଥିବା କୋଠାରେ କଳିଙ୍ଗ ଶୈଳୀର ପ୍ରସ୍ତର କାରୁକଳାକୁ ସ୍ଥାନ ଦିଆଯିବ । ଏହି ସୌନ୍ଦର୍ଯ୍ୟକରଣ ଦ୍ୱାରା ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସାଜସଜ୍ଜା କରାଯିବି । ଏହି ପ୍ରକଳ୍ପର ଦାୟିତ୍ୱ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ନେଇଥିବା ଜଣାପଡ଼ିଛି । ଚଉଡ଼ା ରାସ୍ତା ସଂଯୋଗ ହେବା ପରେ ବଡ଼ଦାଣ୍ଡ କରିଡର ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.