fbpx

ଆଉ ବେଶୀ ଦିନ ରହିବେ ନାହିଁ ପୁଟିନ! କାରଣ ବି ଖୋଲି କହିଲେ ଋଷର ନିର୍ବାସିତ ନାଗରିକ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । ଏପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବାର ନାଁ ବି ନେଉନି । ଋଷ ବିଜୟର ଆଶା ଛାଡି ପାରୁନାହିଁ ତ ସେପଟେ ଅଧିକାରକୁ ଅନ୍ୟ ହାତକୁ ଟେକି ଦେବା ପାଇଁ ପ୍ରସ୍ତୁତ ନାହିଁ ୟୁକ୍ରେନ । ଋଷର ସହଜରେ ୟୁକ୍ରେନ କବଜା କରିବା ଆଶା ଏବେ ମଉଳି ଯାଇଛି । ଏହାସହିତ ଭାଙ୍ଗି ଯାଇଛି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗର୍ବ ଅହଂକାର । ତେବେ ଏହାରି ଭିତରେ ଋଷର ଜଣେ ନିର୍ବାସିତ ନାଗରିକ ପୁତିନଙ୍କ ବିଷୟରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏହି ବୟାନ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁଟିନ ଆଉ ଗୋଟିଏ ବର୍ଷରୁ ଅଧିକ ଦିନ ତିଷ୍ଠପାରିବେ ନାହିଁ । ଏମିତିକି ଅକ୍ଟୋବର ୭ ତାରିଖରେ ପଡୁଥିବା ଜନ୍ମଦିନ ମଧ୍ୟ ପୁଟିନ ଦେଖିପାରିବେ ନାହିଁ ବୋଲି ସେ କହିଛନ୍ତି । ଏହି ନିର୍ବାସିତ ନାଗରିକ ଜଣକ ହେଉଛନ୍ତି ଋଷ ଫେଡେରାଲ ଆସେମ୍ବଲିର ଅନ୍ୟତମ ଡେପୁଟି ଇଲିୟା ପୋନୋମାରେଭ । ୨୦୧୪ ମସିହାରେ ଋଷ ଜିଣିଥିବା କ୍ରାଇମିଆକୁ ଯଦି ୟୁକ୍ରେନ ପୁନର୍ଦଖଲ କରେ, ତେବେ ପୁଟିନଙ୍କର ପତନ ହେବା ଏକପ୍ରକାର ସୁନିଶ୍ଚିତ ।

କିଏ ଏହି ପୋନୋମାରେଭ?

ଇଲିୟା ପୋନୋମାରେଭ ହେଉଛନ୍ତି ଏକମାତ୍ର ଡେପୁଟି ଯିଏ କ୍ରାଇମିଆ ବିଜୟ ବିପକ୍ଷରେ ଭୋଟ ଦେଇଥିଲେ । ଏହାସହିତ ସର୍ବସାଧାରଣରେ ସେ ପୁଟିନଙ୍କ ବିରୋଧରେ ନିର୍ବାଚନ ପ୍ରଭାବିତ ଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ପୋନୋମାରେଭ । ତେବେ କର୍ତ୍ତବ୍ୟରେ ଅବହେଳା ଏବଂ ତାଙ୍କୁ ବହିଷ୍କୃତ କରାଯାଇଥିଲା । ତେବେ ୨୦୧୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୟୁକ୍ରେନରେ ନିର୍ବାସିତ ଭାବରେ ଜୀବନଯାପନ କରୁଛନ୍ତି ।

ଆଜି ନଚେତ କାଲି ୟୁକ୍ରେନ କ୍ରାଇମିଆରେ ପଶି ପୁଟିନ ରାଜୁତିରେ ପୂର୍ଣ୍ଣଛେଦ ପକାଇବ ବୋଲି କହିଛନ୍ତି ପୋନୋମାରେଭ । ତେବେ ପୁଟିନ ଏଭଳି ଏକ ସାମରିକ ପରାଜୟକୁ ସହଜରେ ଗ୍ରହଣ କରିପାରିବେ ନାହାନ୍ତି । ଏହାବ୍ୟତୀତ ପୁଟିନଙ୍କ ପାଇଁ ଜନସାଧାରଣ କିମ୍ବା ଅତି ଆପଣାର ଲୋକମାନେ ମଧ୍ୟ ଶତ୍ରୁ ପାଲଟି ଯାଇପାରନ୍ତି । ପୁଟିନଙ୍କ ପରେ ସେହି ସ୍ଥାନରେ ଅନ୍ୟ କୌଣସି ନେତାଙ୍କୁ ଅବସ୍ଥାନ କରାଯାଇପାରିବ ନାହିଁ ବୋଲି ପୋନୋମାରେଭ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.