fbpx

ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ: ନିଜ ପଦରୁ ଇସ୍ତଫା ଦେଲେ ପୁଟିନଙ୍କ ପରାମର୍ଶଦାତା, ଦେଶ ବି ଛାଡିଲେ

ମସ୍କୋ: ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିତି ସାରିଛି ୨୮ ଦିନ। ତଥାପି ପୁଟିନ ସେନା ଏ ପର୍ଯ୍ୟନ୍ତ କିଭ୍ ଏବଂ ଖାରକିଭ୍ ପରି ବଡ ସହରକୁ କବଜା କରିବାରେ କୌଣସି ସଫଳତା ପାଇ ନାହାନ୍ତି। ଓଲଟା ପୁଟିନଙ୍କ ଉପରେ ତରବରିଆ ଭାବେ ବିନା ବୁଝି ବିଚାରି ନିଜ ସେନାକୁ ପଠାଇବା ଏବଂ ନୀରିହ ଲୋକଙ୍କ ଜୀବନ ନେବାର ଅଭିଯୋଗ ଲାଗିଛି। ଏହା ମଧ୍ୟରେ ଆସିଛି ବଡ ଖବର। ପୁଟିନ୍ଙ୍କ ଜଣେ ଘନିଷ୍ଠ ପରାମର୍ଶଦାତା ଯୁଦ୍ଧ ବିରୋଧରେ ପଦ ଛାଡିବା ସହିତ ଦେଶ ମଧ୍ୟ ଛାଡି ଦେଇଛନ୍ତି। ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ନିକଟତର ଏବଂ ରୁଷର ଜଳବାୟୁ ମାମଲାର ରାଷ୍ଟ୍ରଦୂତ ଏନାଟୋଲି ଚୁବେସ(୬୬) ସରକାରରେ ଏ ପର୍ଯ୍ୟନ୍ତ ସବୁଠୁ ବଡ ଏବଂ ଅଭିଜ୍ଞ ଅଫିସର ଥିଲେ। ସେ ରୁଷର ଆକ୍ରମଣକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚୁବେସ ୧୯୯୦ରେ ସୋଭିଏତ ସଂଘ ସମୟରେ ସବୁଠୁ ବଡ ସୁଧାରକ ଭାବେ ପରିଚିତ ଥିଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଟିନ୍ ସରକାରଙ୍କ ବିଶ୍ଵାସର ପାତ୍ର ଥିଲେ। ଏହି ସମୟରେ ସେ ପାଶ୍ଚାତ୍ୟ ଦେଶଗୁଡିକ ସହିତ ରୁଷର ସୁସମ୍ପର୍କ ସ୍ଥାପନରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରୁଷର ଘରୋଇକରଣର ବାସ୍ତୁକାର କୁହାଯାଉଥିବା ଚୁବେସ ହିଁ ୧୯୯୦ ମଧ୍ୟ ଭାଗରେ ପୁଟିନଙ୍କୁ ରୁଷ ସରକାରରେ ଚାକିରି ଦେଇଥିଲେ। ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସେ ପୁଟିନଙ୍କୁ ଆଗକୁ ବଢାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ପୁଟିନଙ୍କ ନେତୃତ୍ଵରେ ଚୁବେସ ଅନେକ ସରକାରୀ କମ୍ପାନୀର ପ୍ରମୁଖ ପଦ ସମ୍ଭାଳିଥିଲେ। ତେବେ ପୁଟିନ୍ଙ୍କ ୟୁକ୍ରେନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ବିରୋଧ କରି ଚୁବେସ ନିଜ ପଦରୁ ଇସ୍ତଫା ଦେବା ସହ ଦେଶ ମଧ୍ୟ ଛାଡି ଦେଇଛନ୍ତି। ସୂଚନାଯୋଗ୍ୟ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ମସ୍କୋ ସମେତ ପୂରା ରୁଷରେ ଆର୍ଥିକ ସଙ୍କଟ ଉପୁଜିଛି।

Get real time updates directly on you device, subscribe now.