fbpx

‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା… ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟ

ଭୋପାଳ: ପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ ଏପରି ଆଚରଣ ତାଙ୍କ ଯୌନ ଅପରାଧକୁ ଦର୍ଶାଇଥାଏ ବୋଲି କହିଛନ୍ତି ହାଇକୋର୍ଟ । ଏ ନେଇ ଏକ ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ ।

ସୂଚନା ଅନୁସାରେ, ଜଷ୍ଟିସ ପ୍ରେମ ନାରାୟଣ ସିଂହଙ୍କ ସିଙ୍ଗଲ ଜଜ୍ ବେଞ୍ଚ କହିଛନ୍ତି ଯେ, ଆଇନ ଅନୁସାରେ ପୋକ୍ସୋ ଆକ୍ଟ ଅଧୀନରେ କୌଣସି ଅପରାଧ ପାଇଁ ଅଭିଯୁକ୍ତର ମାନସିକତା ଉପରେ ନିର୍ଭର କରିଥାଏ । ତେଣୁ ଅପରାଧରେ ଅଭିଯୁକ୍ତଙ୍କୁ ହିଁ ଦୋଷୀ ବୋଲି ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ । ତେବେ ଏକ ମାମଲାର ଶୁଣାଣୀ ସମୟରେ ଏହି ରାୟ ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ନବମ ଶ୍ରେଣୀର ଜଣେ ଛାତ୍ରୀ ଘରକୁ ଫେରିବା ବେଳେ ଅଭିଯୁକ୍ତ ତାଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଛୁଇଁବାକୁ ଚେଷ୍ଟା କରିଥିଲେ । ଛାତ୍ରୀଙ୍କ ହାତ ଧରିବା ସହ ତାଙ୍କ କପଡ଼ା ଭିଡ଼ିବା ନେଇ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର । ତେବେ ଛାତ୍ରୀଜଣକ ପାଟି କରିବାରୁ ତାଙ୍କ ଦାଦା ସେଠାରେ ପହଞ୍ଚିଥିଲେ, କିନ୍ତୁ ଅଭିଯୁକ୍ତ ତାଙ୍କୁ ଧମକ ଦେଇ ସେଠାରୁ ଫେରାର ହୋଇ ଯାଇଥିଲା ।

ତେବେ ଏହି ଅଭିଯୋଗରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ପୋକ୍ସୋ ଆକ୍ଟ ଅନୁସାରେ ୩ ବର୍ଷ କଠୋର ଜେଲ ଦଣ୍ଡ ଏବଂ ୪୦୦୦ ଟଙ୍କା ଜରିମାନା ଲାଗୁ କରିଥିଲେ । ତେବେ ଏହାକୁ ଚାଲେଞ୍ଜ କରି ଅଭିଯୁକ୍ତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଛାତ୍ରୀଙ୍କୁ ମନ୍ଦ ଉଦ୍ଦେଶ୍ୟରେ ଛୁଇଁ ନଥିବା ନେଇ କୋର୍ଟରେ ଯୁକ୍ତି ବାଢିଥିଲେ ଅଭିଯୁକ୍ତର ଓକିଲ । ଏହାପରେ ସମସ୍ତ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତି କରି ହାଇକୋର୍ଟ ମଧ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ବାର୍ ଆଣ୍ଡ ବେଞ୍ଚଙ୍କ କହିବା ଅନୁସାରେ, ୨୨ ବର୍ଷର ଜଣେ ଯୁବକ ପୀଡ଼ିତାଙ୍କ କାନ୍ଧ ଉପରେ ହାତ ରଖିବା ସହ କପଡ଼ା ଟାଣିତିବା ଅଭତଯୋଗ ଦାୟର ହୋଇଛି । ଏହି ଆଚରଣ ଯୁବକର ଯୌନ ଇଚ୍ଛାକୁ ଦର୍ଶାଉଛି ବୋଲି କହିଥିଲେ ମାନ୍ୟବର ହାଇକୋର୍ଟ । ଏହାବ୍ୟତୀତ ମେଡିକାଲ ରିପୋର୍ଟ ପୀଡ଼ିତାଙ୍କ ବାମ ହାତର ଉପରି ଭାଗରେ ଏକ ଚିହ୍ନ ରହିଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି ଚିକିତ୍ସା ଅଧିକାରୀ । ତେଣୁ ମାନ୍ୟବର କୋର୍ଟ ଆଇପିସି ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟ ଧାରା ୭/୮ ଅନୁସାରେ, ଅପିଲକର୍ତ୍ତା-ଅଭିଯୁକ୍ତର ଦୋଷକୁ ସାବ୍ୟସ୍ତ କରିଛନ୍ତି । ତେଣୁ ଅଭିଯୁକ୍ତକୁ ୪୦୦୦ ଟଙ୍କାର ଜରିମାନା ସାଙ୍ଗକୁ ୩ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।

Get real time updates directly on you device, subscribe now.