fbpx

ରାଜଧାନୀରେ ବିକ୍ରି ହେଉଥିବା ଲସିକୁ ନେଇ ଉଠିଲା ପ୍ରଶ୍ନ: ଲସିରେ ରାସାୟନିକ ରଙ୍ଗ ମିଶୁଥିବା ନେଇ ଯାଞ୍ଚରୁ ଜଣାପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପ୍ରବଳ ଖରାରେ ଲୋକମାନେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ତାତିରୁ ଆରାମ ପାଇବା ପାଇଁ ଲସି ହେଉଛି ଏକ ଭଲ ପାନୀୟ । ତେବେ ଗତ କିଛିବର୍ଷ ଧରି ରାଜଧାନୀ ଭୁବନେଶ୍ୱରରେ ଲସି ଦୋକାନ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ବେପାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଖରାରୁ ସାମୟିକ ଭାବେ ଆରାମ ପାଇବା ପାଇଁ ଲୋକମାନେ ରାସ୍ତାକଡ଼ାରେ ବିକ୍ରି ହେଉଥିବା ଲସି ଦୋକାନରୁ ଲସି ପିଇଥାନ୍ତି ।

ତେବେ ରାଜଧାନୀର ରାସ୍ତାକଡ଼ରେ ବିକ୍ରି ହେଉଥିବା ଲସିକୁ ନେଇ ଆସିଛି ଏକ ବଡ଼ ଅଭିଯୋଗ । ଲସିରେ ବିଭିନ୍ନ ପ୍ରକାରର ଅପମିଶ୍ରଣ କରାଯିବା ସହିତ ରାସାୟନିକ ରଙ୍ଗ ମିଶୁଥିବା ନେଇ ପ୍ରମାଣ ମିଳିଛି । ଗତ ବୁଧବାର ଦିନ କଟକରେ ଖାଦ୍ୟ ସୁରକ୍ଷା ବିଭାଗର ଯାଞ୍ଚ ସମୟରେ ରଙ୍ଗ ମିଶାଯାଉଥିବା ନେଇ ସାମ୍ନାକୁ ଆସିଛି । ତେବେ ରାଜଧାନୀରେ ଯାଞ୍ଚ କଲେ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ସ୍ୱାସ୍ଥ୍ୟ ସଚେତନ ନାଗରିକମାନେ ମତ ଦେଇଛନ୍ତି । ଦୋକାନୀମାନେ ଗ୍ରାହକଙ୍କୁ ଚଢ଼ା ଦରରେ ଲସି ବିକ୍ରି କରୁଥିବା ବେଳେ ରାସ୍ତାକଡ଼ ଖାଦ୍ୟ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ରାଜଧାନୀର ସହିଦ ନଗର, କଳ୍ପନା, କଟକ ରୋଡ଼, ଖଣ୍ଡଗିରି, ଜୟଦେବ ବିହାର ଆଦି ଅଞ୍ଚଳରେ ଅନେକ ଲସି ସର୍ବତ ଷ୍ଟଲ ରହିଛି । ଦୋକାନୀମାନେ ମାର୍ଚ୍ଚ ଶେଷ ଆଡ଼କୁ ଷ୍ଟଲ ପକାଇ ଜୁନ ମଧ୍ୟରେ ୩ ମାସରେ ପ୍ରଚୁର ବ୍ୟବସୟ କରିଥାନ୍ତି । ଲସିରେ ରାବିଡ଼ି, ନଡ଼ିଆ, ବାଦାମ, କାଜୁ ଆଦି ମିଶାଇ ତାହାକୁ ସ୍ୱାଦିଷ୍ଟ କରାଯାଇଥାଏ । ଏହିସବୁ ଖାଦ୍ୟର କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି । ରାଜଧାନୀବାସୀ ପ୍ରତିଦିନ ଶହ ଶହ ଗ୍ଲାସ ଲସି ପିଉଥିବା ବେଳେ ତାହା ଯାଞ୍ଚ କରିବା ଆବଶ୍ୟକ ବୋଲି ସଚେତନ ନାଗରିକ ମାନେ ମତ ଦେଇଛନ୍ତି ।

ତେବେ ଦୋକାନୀମାନେ ରାବିଡ଼ିରେ ମାତ୍ରାଧିକ ମଇଦା, ବିସ୍କୁଟ ଗୁଣ୍ଡ ଆଦି ମିଶାଉଥିବା ଅଭିଯୋଗ ହେଉଛି । ଏପରିକି ଲସିର ରଙ୍ଗ ଭଲ ଦେଖାଯିବା ପାଇଁ ଓ ମିଠା ବଢ଼ାଇବା ପାଇଁ ସେଥିରେ ସାକାରିନ୍ ଗୁଣ୍ଡ ପକାଯାଉଥିବା କୁହାଯାଉଛି । ବାସି ନଡ଼ିଆ, ଶସ୍ତା ଆଇସକ୍ରିମ ବ୍ୟବହାର କରାଯାଉଛି । ଏହା ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟା ଯେ ସୃଷ୍ଟି ନ କରିବ ସେହି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଏହି ଦୋକାନ କରିବାକୁ ହେଲେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଖୁଚୁରା ବେପାରୀ ଲାଇସେନ୍ସ ନେବାକୁ ପଡ଼ିଥାଏ, ମାତ୍ର ଅନେକ ଦୋକାନୀ ତାହା ନେଇ ନଥାନ୍ତି । ଅନ୍ୟପକ୍ଷରେ ନିୟମିତ ଭାବେ ଯାଞ୍ଚ କରାଯାଉଥିବା ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି । ଖୁବଶୀଘ୍ର ଲସି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ନମୂନା ପରୀକ୍ଷାଗାରକୁ ପଠାଯିବ । ଅପମିଶ୍ରଣ କରୁଥିବା ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.