ନୂଆଦିଲ୍ଲୀ,୫ା୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ନୂତନ ମୁଖ୍ୟଙ୍କ ନାମ ଚୟନ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, CBI ମୁଖ୍ୟଙ୍କ ଚୟନ ପାଇଁ ଗଠିତ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, CJI ସଞ୍ଜିବ ଖାନ୍ନା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଛନ୍ତି। CBI ମୁଖ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷ, ଯାହାକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ବର୍ତ୍ତମାନର CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଚଳିତ ମାସ ୨୫ ମେ’ ରେ ଶେଷ ହେଉଛି।
ପ୍ରବୀଣ ସୁଦ ୧୯୬୪ରେ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। IIT ଦିଲ୍ଲୀରୁ ସ୍ନାତକ ପ୍ରବୀଣ ସୁଦ ୧୯୮୬ ବ୍ୟାଚର IPS ଅଧିକାରୀ। ୧୯୮୯ରେ ସେ ମହୀଶୂରର ସହାୟକ ପୋଲିସ ଅଧିକ୍ଷକ ହୋଇଥିଲେ। ଏହା ପରେ ସେ ବେଲାରୀ ଏବଂ ରାଇଚୁରର ପୋଲିସ ଅଧିକ୍ଷକ (SP) ମଧ୍ୟ ଥିଲେ।
ଏସବୁ ବ୍ୟତୀତ ପ୍ରବୀଣ ସୁଦ ମରିସସରେ ପୋଲିସ ପରାମର୍ଶଦାତା ପଦ ମଧ୍ୟ ଗ୍ରହଣ କରିଛନ୍ତି। ୨୦୧୧ରେ ସେ ବାଙ୍ଗାଲୋର ଟ୍ରାଫିକ ପୋଲିସର ଅତିରିକ୍ତ ପୋଲିସ କମିଶନର ଭାବରେ କାର୍ଯ୍ୟ କରିଥିଲେ। ପ୍ରବୀଣ ସୁଦଙ୍କୁ ୧୯୯୬ରେ ସେବାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଣ୍ଣ ପଦକ ଏବଂ ୨୦୦୨ରେ ପୋଲିସ ପଦକ ପ୍ରଦାନ କରାଯାଇଥିଲା। ୨୦୧୧ରେ ରାଷ୍ଟ୍ରପତି ତାଙ୍କୁ ପୋଲିସ ପଦକ ପ୍ରଦାନ କରିଥିଲେ।
ସିବିଆଇ ମୁଖ୍ୟ ପ୍ରବୀଣ ସୁଦ ଏବଂ କର୍ଣ୍ଣାଟକ କଂଗ୍ରେସର ବଡ଼ ନେତା ଡିକେ ଶିବକୁମାରଙ୍କ ମଧ୍ୟରେ ତିକ୍ତତା କାହାଠାରୁ ଲୁଚି ନାହିଁ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଥରେ ପ୍ରବୀଣ ସୁଦଙ୍କ ବିଷୟରେ କହିଥିଲେ ଯେ, ସେ ଏହି ପଦବୀ ପାଇଁ ଯୋଗ୍ୟ ନୁହନ୍ତି। ଏହା ବ୍ୟତୀତ ଡିକେ ଶିବକୁମାର ତାଙ୍କ ଉପରେ ବିଜେପି ସପକ୍ଷରେ କାମ କରିବାର ଅଭିଯୋଗ କରିଥିଲେ। ଡିକେ ଶିବକୁମାର ସେତେବେଳେ ପ୍ରବୀଣ ସୁଦଙ୍କ ବିଷୟରେ କହିଥିଲେ ଯେ ସେ ଡିଜିପି ହୋଇଥିଲେ ମଧ୍ୟ ତାଙ୍କ କାମ ଜଣେ ବିଜେପି କର୍ମୀଙ୍କ ପରି। କଂଗ୍ରେସ ନେତା ତାଙ୍କ ଉପରେ ୨୫ ଜଣ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଭିଯୋଗ କରିଥିଲେ। ଡିକେ ଶିବକୁମାର ଏପରିକି କହିଥିଲେ ଯେ, ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ପ୍ରବୀଣ ସୁଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।