ନୂଆଦିଲ୍ଲୀ: ଲୋକସଭାରେ ବିରୋଧି ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଅର୍ଥାତ ୧୨ ଡିସେମ୍ବରରେ ହାଥରସ ଗସ୍ତ ପାଇଁ ଦିଲ୍ଲୀରୁ ବାହାରିଛନ୍ତି । ସେଠାରେ ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ସେ ଭେଟିବେ । ଏନେଇ ରାଜନୈତିକ କ୍ଷେତ୍ରରେ ଆଲୋଚନା ତୀବ୍ର ହୋଇଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲୋକଙ୍କୁ ଉତ୍ତେଜିତ କରିବାକୁ ଚାହୁଁଛନ୍ତି ।
ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବରୁ ସମ୍ଭଲ ଏବଂ ବର୍ତ୍ତମାନ ହାଥରସ ଯାତ୍ରା ଜରିଆରେ ରାହୁଲ ଗାନ୍ଧୀ ୟୁପିକୁ ଅରାଜକତା ଏବଂ ଦଙ୍ଗାର ନିଆଁରେ ପକାଇବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କ ହାଥରସ ଯାତ୍ରାକୁ ନେଇ ଆଇନ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ହାଥରସର ବୁଲଗଢୀ ଗାଁରେ ଅତିରିକ୍ତ ପୋଲିସ ଟିମକୁ ନିୟୋଜିତ କରାଯାଇଛି । ସୂତ୍ର ମୁତାବକ, ପୀଡିତଙ୍କ ପରିବାର, ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, ସରକାର ଯାହା କହିଥିଲେ ତାହା ପୂରଣ କଲେ ନାହିଁ ।
ଚାରି ବର୍ଷର ପୂରୁଣା ମାମଲା: ୧୪ ସେପ୍ଟେମ୍ବର ୨୦୨୦ରେ ହାଥରସରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର କିଛି ଲୋକେ ଦୁଷ୍କର୍ମ କରିଥିଲେ, ଯାହାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ ଶୁଣାଣି କରାଯାଇଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଗସ୍ତ ଏହି ପ୍ରସଙ୍ଗରେ ସରକାରଙ୍କ ତ୍ରୁଟିକୁ ଦର୍ଶାଇବା ଏବଂ ପୀଡିତଙ୍କ ପରିବାର ସହ ଏକତା ପ୍ରକାଶ କରିବା ଲାଗି ଏକ ପ୍ରୟାସ ବୋଲି କୁହାଯାଉଛି ।