fbpx

ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଗେହଲଟ ଘୋଷଣା କଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ, କହିଲେ ମୋଦୀ ନିଜର ଅହଂକାର ଯୋଗୁ ହରାଇଛନ୍ତି ଲୋକପ୍ରିୟତା

ନୂଆଦିଲ୍ଲୀ: ମୁମ୍ବାଇରେ ଇଣ୍ଡିଆ ଗଠବନ୍ଧନର ତୃତୀୟ ବୈଠକ ଆୟୋଜିତ ହେବାକୁ ଯାଉଛି । ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି । ଗେହଲଟ ଇଣ୍ଡିଆ ଟୁଡେ ସହିତ ଆଲୋଚନା ସମୟରେ କହିଛନ୍ତି ଏହି ନିଷ୍ପତ୍ତି ସମସ୍ତ ଦଳ ମଧ୍ୟରେ ଆଲୋଚନା ଓ ବିଚାର ବିମର୍ଷ ପରେ ନିଆଯାଇଛି । ଇଣ୍ଡିଆ ଗଠବନ୍ଧନର ଆବଶ୍ୟକତା ବିଷୟରେ କହି ସେ କହିଛନ୍ତି, ଜନତାଙ୍କ ପକ୍ଷରୁ ଏପରି ଚାପ ରହିଥିଲା ଯାହାର ପରିଣାମ ସ୍ୱରୂପ ସମସ୍ତ ବିରୋଧୀ ଦଳ ମିଶି ଏହି ମେଣ୍ଟ ଗଢିଛନ୍ତି ।

ଗେହଲଟ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଅହଂକାରୀ ହେବା ଅନୁଚିତ କାରଣ ୨୦୧୪ରେ ବିଜେପି କେବଳ ୩୧ ପ୍ରତିଶତ ଭୋଟ ସହିତ କ୍ଷମତାକୁ ଆସିଥିଲା । ଅବଶିଷ୍ଟ ୬୯ ପ୍ରତିଶତ ଭୋଟର ବିଜେପି ବିରୁଦ୍ଧରେ ଥିଲେ । ସେ କହିଛନ୍ତି ଗତ ମାସରେ ବାଙ୍ଗାଲୁରରେ ଇଣ୍ଡିଆ ମେଣ୍ଟର ବୈଠକ ହେବା ଠାରୁ ବିଜେପି ଭୟଭୀତ ହୋଇଯାଇଛି ।

ଯେତେବେଳେ ଇଣ୍ଡିଆ ଟୁଡେ ପକ୍ଷରୁ ଗେହଲଟଙ୍କୁ ପଚରା ଯାଇଥିଲା ଯେ, ଏନଡିଏ ୨୦୨୪ ନିର୍ବାଚନରେ ୫୦ ପ୍ରତିଶତ ଭୋଟ ସହିତ କ୍ଷମତାକୁ ଆସିବା ଲାଗି କାମ କରୁଛି ସେତେବେଳେ ଗେହଲଟ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ କେବେ ବି ଏହା ହାସଲ କରିପାରିବେ ନାହିଁ । ଯେତେବେଳେ ସେ ନିଜ ଲୋକପ୍ରିୟତାର ଶୀର୍ଷରେ ଥିଲେ ସେତେବେଳେ ସେ ଏହା କରିପାରିଥାନ୍ତେ । କିନ୍ତୁ ଏବେ ତାଙ୍କ ଭୋଟ ସେୟାର ହ୍ରାସ ପାଇବ ଓ ୨୦୨୪ ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ କିଏ ପ୍ରଧାନମନ୍ତ୍ରୀ ହେବ ?

 

Get real time updates directly on you device, subscribe now.