fbpx

ରାହୁଲ ହେବେ କଂଗ୍ରେସ ଓ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କଲେଣି । ତେବେ ଏହା ମଧ୍ୟରେ ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଗତ ୬ ମାସ ମଧ୍ୟରେ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ପରି ଦୁଇଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାରେ ସକ୍ଷମ ହୋଇପାରିଛି ।

ତେବେ ଏହା ମଧ୍ୟରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ସହିତ ଏହି ଘଟଣା ଦେଶରେ ବିରୋଧୀଙ୍କୁ ଏକଜୁଟ କରାଇବାରେ ବେଶ୍ ସହାୟକ ହୋଇଥିଲା । ନରେନ୍ଦ୍ର ମୋଦୀ ଦେଶରେ ଏକ ନମ୍ବର ନେତା ହେଲେ ହେଁ ରାହୁଲଙ୍କ ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଉଥିବା ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି । ତେବେ ଏହା ମଧ୍ୟରେ ରାହୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ଆସନ୍ତା ନିର୍ବାଚନରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବାକୁ ଦାବି କରାଯାଇଛି । ବିପକ୍ଷ ମହାମେଣ୍ଟ ପକ୍ଷରୁ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ସାଂସଦ ମଣିକମ ଟାଗୋର ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦୀଙ୍କୁ ୪୩ ପ୍ରତିଶତ ଲୋକଙ୍କ ପସନ୍ଦ କରୁଥିବା ବେଳେ ରାହୁଲଙ୍କୁ ୩୪ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ତେବେ ଏପରି ସ୍ଥିତିରେ ମଣିକମଙ୍କ ବୟାନକୁ ନେଇ ସାରା ଦେଶରେ ପୁଣି ଥରେ ପିଏମ୍ ପ୍ରାର୍ଥୀକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.