କ’ଣ ରହିଛି ଫଟୋ ପଛର ରହସ୍ୟ, ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜ୍ୟୋତି ସହ ରାହୁଲ…

ଜ୍ୟୋତି ମାଲହୋତ୍ରାଙ୍କୁ ଗତ ମାସରେ ପାକିସ୍ତାନ ପାଇଁ ସ୍ପାଏ ସାଜିଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଏକ  ଫଟୋ ଭାଇରାଲ ହୋଇଛି।

ଅନେକ ଏକ୍ସ ୟୁଜର୍ ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ମାଲହୋତ୍ରା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କଡ଼ରେ ଛିଡ଼ା ହୋଇ ଫଟୋ ଉଠାଇଛନ୍ତି। ହେଲେ ଏହି ଫଟୋ ପ୍ରକୃତରେ ସତ ନା ଏହା ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି।

ରାହୁଲ-ଜ୍ୟୋତିଙ୍କ ଫଟୋ:  ତେବେ ପାକିସ୍ତାନ ପାଇଁ ଗୁଇନ୍ଦା ସାଜିଥିବା ଅଭିଯୋଗରେ ଧରାପଡ଼ିଥିବା ହରିୟାଣାର ଜ୍ୟୋତି ମାଲହୋତ୍ରା ରାହୁଲ ଗାନ୍ଧୀଙ୍କ ସହ ଫଟୋ ଉଠାଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଏହା ଏକ ଅଦ୍ଭୁତ ସଂଯୋଗ ଯେ ପ୍ରତ୍ୟେକ ଦେଶଦ୍ରୋହୀ ଏବଂ ଦେଶ ବିରୋଧୀଙ୍କୁ ରାହୁଲ ଗାନ୍ଧୀଙ୍କ ସହିତ ଦେଖାଯାଉଛି! ଦେଶରେ ଘଟୁଥିବା ଅଶାନ୍ତିର ମାଷ୍ଟରମାଇଣ୍ଡ କ’ଣ ରାହୁଲ ଗାନ୍ଧୀ?” X ରେ ଜଣେ ବ୍ୟବହାରକାରୀ ଏପରି କିଛି ଲେଖିଛନ୍ତି।

ଫଟୋ ପଛରେ ସତ୍ୟତା:  ତେବେ ଏକ ସରଳ ଗୁଗଲ୍ ଇମେଜ୍ ସର୍ଚ୍ଚରୁ ଜଣାପଡ଼ିଛି ଯେ ମୂଳ ଫଟୋଗ୍ରାଫ୍ ୨୦୧୮ ମସିହାରେ ଅନେକ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ହୋଇଥିଲା। ଅର୍ଥାତ୍ ରାହୁଲ ଗାନ୍ଧୀଙ୍କ ସହ ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ଫେକ୍ ଫଟୋ ବୋଲି ପ୍ରମାଣିତ ହୋଇଛି।

ପ୍ରକୃତରେ ଗୁଗୁଲ୍ ଇମେଜ୍ ସର୍ଚ୍ଚରୁ ଜଣାପଡୁଛି ଯେ ଏହି ଫଟୋଟି୨୦୧୮ ମସିହାର। ସେତେବେଳେ, ମାଲହୋତ୍ରା ତାଙ୍କର YouTube କ୍ୟାରିଅର୍ ମଧ୍ୟ ଆରମ୍ଭ କରିନଥିଲେ।

ଫଟୋଟିର ରିଭର୍ସ ଇମେଜ୍ ସର୍ଚ୍ଚ କରାଯାଇଥିଲା ବେଳେ ଜଣାପଡିଥିଲା ଯେ ପୂର୍ବତନ କଂଗ୍ରେସ ନେତ୍ରୀ ଅଦିତି ସିଂହ ରାହୁଲଙ୍କ ସହ ସମାନ ରଙ୍ଗର ଶାଢ଼ି ପିନ୍ଧି ଏବଂ ସମାନ ପୋଜ୍ ରେ ଏକ ଫଟୋ ଉଠାଇଥିଲେ। ଫଟୋ ପଛରେ ଠିଆ ହୋଇଥିବା ବ୍ୟକ୍ତି ମଧ୍ୟ ସମାନ ଥିଲେ।

ଫେକ୍ ଫଟୋ:  ଅଦିତି ସିଂହଙ୍କ ସହିତ ଫଟୋଟି ବର୍ଷ ବର୍ଷ ପୂର୍ବେ ପ୍ରକାଶିତ ହୋଇଥିଲା। ଅଦିତି ସିଂହ ୨୦୧୮ ମସିହାରେ ସୋସିଆଲ ମିଡିଆରେ ସମାନ ଫଟୋ ସେୟାର କରିଥିଲେ। ଅନେକ ତଥ୍ୟ ଯାଞ୍ଚକାରୀ ସଂସ୍ଥା ମଧ୍ୟ ଫଟୋଗ୍ରାଫକୁ “ମର୍ପ୍ଡ” ବୋଲି ଘୋଷଣା କରିଥିଲେ।

ରାୟବରେଲିର ପୂର୍ବତନ କଂଗ୍ରେସ ବିଧାୟକ ଅଦିତି ସିଂହ ୨୦୨୧ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ବିଜେପି ବିଧାୟକ ଭାବରେ ରାୟବରେଲି ସଦର ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି।