fbpx
BSKY
BJD MC SKY
BJD YOUTH SKY

୧୮ ବର୍ଷର ପୁରୁଣା ବନ୍ଧୁକୁ ବିଦାୟ ଦେଲେ ରାହୁଲ: ’12 Tughlak Lane’ ଏବେ ଅତୀତ, ଛାତିର ବେଦନା ଖୋଜୁଛି ନୂଆ ଠିକଣା

ନୂଆଦିଲ୍ଲୀ: ଗତ ମାସ ୨୩ ତାରିଖରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହିତ ଦୁଇ ବର୍ଷର ଜେଲଦଣ୍ଡାଦେଶ ପାଇଥିଲେ । ଏହାପରେ ୨୪ ତାରିଖରେ ସେ ଲୋକସଭା ସଦସ୍ୟ ପଦ ହରାଇଥିଲେ । ତେବେ ରାହୁଲଙ୍କ ଉପରେ ଲାଗୁ ହୋଇଥିବା ୨ ବର୍ଷର ଜେଲଦଣ୍ଡାଦେଶ ଉପରେ ରୋକ ଲାଗୁ ନେଇ ଆଗତ ଯାଚିକାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ କରାଯିବ ।

ଏହା ମଧ୍ୟରେ ଆଜି ରାହୁଲ ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାରୀ ବଙ୍ଗଳା ଛାଡ଼ିଛନ୍ତି । ଲୋକସଭା ସାଂସଦ ଭାବେ ତାଙ୍କୁ ଏହି ବାସଭବନ ଆଲଟ କରାଯାଇଥିଲା । ତେବେ ରାହୁଲ ଏବେ ୧୦ ଜନପଥରେ ଥିବା ତାଙ୍କ ମାଆ ସୋନିଆ ଗାନ୍ଧିଙ୍କ ବଙ୍ଗଳାରେ ରହିବେ । ମାନହାନୀ ମକଦ୍ଦମା କାରଣରୁ ସଭ୍ୟ ପଦ ହରାଇବା ପରେ ରାହୁଲଙ୍କୁ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ୧୨ ତୁଗଲକ ଲେନ ସହିତ ରାହୁଲଙ୍କର ଅନେକ ଇତିହାସ ଲିପିବଦ୍ଧ ହୋଇ ରହିଛି । ସେ ୨୦୦୫ରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ଆମେଥିରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଏହି ବଙ୍ଗଳାରେ ରହିଥିଲେ । ଗତ ମାର୍ଚ୍ଚ ୨୩ରେ ସେ ସାଂସଦ ପଦ ହରାଇବା ପରେ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ୩୦ ଦିନର ସମୟ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ରାହୁଲ କର୍ଣ୍ଣାଟକର ଏକ ନିର୍ବାଚନୀ ରାଲିରେ ‘ନୀରବ ମୋଦୀ, ନରେନ୍ଦ୍ର ମୋଦୀ, ଲଳିତ ମୋଦୀଙ୍କ ସରନେମ କମନ୍ କ’ଣ ପାଇଁ’ ବୋଲି ମନ୍ତବ୍ୟ ଦେଇଥିଲେ । ଏଥିସହିତ ‘ଚାରିଜଣ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଛି’ ବୋଲି ମଧ୍ୟ କହିଥିଲେ । ତେବେ ରାହୁଲଙ୍କ ଏହି ବୟାନ ପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ଏକ ମାନହାନୀ ମାମଲା ଦାୟର କରିଥିଲେ । ଏହି ମାମଲାରେ ରାହୁଲଙ୍କୁ ଆଇପିସିର ଧାରା ୪୯୯ ଓ ୫୦୦ ଅଧିନରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ବୀର ସଭରକରଙ୍କ ବିରୋଧରେ ବୟାନ ଦେଇଥିବାରୁ ଗତ ୧୨ ତାରିଖରେ ପୁଣେ କୋର୍ଟରେ ସଭରକରଙ୍କ ନାତି ମଧ୍ୟ ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ଦାୟର କରିଥିଲେ ।

Get real time updates directly on you device, subscribe now.