fbpx
BJD SKY
BJD SKY

NTPC ପରୀକ୍ଷା ଫଳାଫଳ ପାଇଁ ଘୋଷଣା ହେଲା ଟାଇମ୍ ଟେବୁଲ: ୨୦୨୩ ମାର୍ଚ୍ଚ ସୁଦ୍ଧା ୨୫,୨୮୧ ଜଣଙ୍କୁ ଦିଆଯିବ ନିଯୁକ୍ତି

BJD

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ପ୍ରଥମ ଥର ପାଇଁ ରେଳବାଇ ପକ୍ଷରୁ ନନ-ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ ପରୀକ୍ଷାର ରେଜଲ୍ଟ ପାଇଁ ଟାଇମ୍ ଟେବୁଲ ସ୍ଥିର କରାଯାଇଛି । ଏଥିସହିତ ଚଳିତ ବର୍ଷ ସିଲେକ୍ଟ ହୋଇଥିବା ୩୫,୨୮୧ ଜଣ ପ୍ରାର୍ଥୀଙ୍କୁ ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ଚାକିରି ମିଳିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ତେବେ ରେଳବାଇର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ ଏହାର ସୁଫଳ ଲକ୍ଷାଧିକ ଆଶାୟୀଙ୍କୁ ମିଳିବ । ପୂର୍ବରୁ ଏହି ପ୍ରାର୍ଥୀମାନେ ଏନଟିପିସିର ବିଭିନ୍ନ ପର୍ଯ୍ୟାୟରେ କୃତକାର୍ଯ୍ୟ ହେବା ପରେ ପରୀକ୍ଷା ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ଆରଆରବି ଏନଟିପିସି ପରୀକ୍ଷା ୨୦୨୨ ଦେଶର ବିଭିନ୍ନ ରେଲୱେ ଜୋନରେ ଅନୁଷ୍ଠିତ ହୋଇଥିଲା । ୩୫,୨୮୧ଟି ପଦବୀ ପୂରଣ ନିମନ୍ତେ ପାଖାପାଖି ୪ ବର୍ଷ ଧରି ଭାରତୀୟ ରେଳବାଇ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

୭,୧୨୪ ଜଣ ପରୀକ୍ଷାର୍ଥୀଙ୍କ ଲେବଲ-୬ ପରୀକ୍ଷା ଫଳାଫଳ ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିଲା । ସେମାନଙ୍କର ମେଡିକାଲ ଟେଷ୍ଟ ଓ ଡକ୍ୟୁମେଣ୍ଟ ଭେରିଫିକେସନ ବର୍ତ୍ତମାନ ଜାରି ରହିଛି । ୨୧ଟି ଆରଆରବି ପକ୍ଷରୁ ୧୭ଟିରେ ବର୍ତ୍ତମାନ ପରୀକ୍ଷା ଫଳ ଘୋଷଣା ସରିଥିବା ବେଳେ ଅବଶିଷ୍ଟ ଜୋନରେ ଖୁବଶୀଘ୍ର ଘୋଷଣା ହେବ ବୋଲି ରେଲୱେ ଅଫିସିଆଲ ପକ୍ଷରୁ କୁହାଯାଇଛି ।

ଲେବଲ-୫ ପରୀକ୍ଷା ଫଳାଫଳ ନଭେମ୍ବର ମାସ ତୃତୀୟ ସପ୍ତାହରେ ଆସିବ । ସେହିପରି ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଡକ୍ୟୁମେଣ୍ଟ ଭେରିଫିକେସନ ଓ ମେଡିକାଲ ଟେଷ୍ଟ ସମାପ୍ତ ହେବ । ଏହାପରେ ଜାନୁୟାରୀ ମାସ ତୃତୀୟ ସପ୍ତାହରେ ପ୍ରାର୍ଥୀମାନଙ୍କୁ ଚାକିରି ପାଇଁ ଏମ୍ପ୍ୟାନେଲ କରାଯିବ । ଲେବଲ-୪ ପରୀକ୍ଷାର ଫଳାଫଳ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ସରିବା ସହ ଫେବୃଆରୀ ପ୍ରଥମ ସପ୍ତାହରେ ଡକ୍ୟୁମେଣ୍ଟ ଭେରିଫିକେସନ ଓ ମେଡିକାଲ ଟେଷ୍ଟ କରାଯିବ । ଫେବୃଆରୀ ମାସ ଚତୁର୍ଥ ସପ୍ତାହରେ ପ୍ରାର୍ଥୀଙ୍କୁ ଚାକିରି ପାଇଁ ଏମ୍ପ୍ୟାନେଲ କରାଯିବ ।

ଲେବଲ-୩ ପରୀକ୍ଷାର ପ୍ରାର୍ଥୀଙ୍କୁ ୨୦୨୩ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା, ଲେବଲ-୨ ପରୀକ୍ଷାର ପ୍ରାର୍ଥୀଙ୍କୁ ମାର୍ଚ୍ଚ ଚତୁର୍ଥ ସପ୍ତାହ ସୁଦ୍ଧା ଏମ୍ପ୍ୟାନେଲ କରାଯିବ ବୋଲି ରେଲୱେ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟାଇମ୍ ଟେବୁଲରୁ ଜଣାପଡ଼ିଛି । ପ୍ରାର୍ଥୀଙ୍କୁ ଷ୍ଟେସନ ମାଷ୍ଟର, ଗୁଡସ ଗାର୍ଡ, କମର୍ସିଆଲ ଆପ୍ରେଣ୍ଟାଇସ, ଟିକେଟ କ୍ଲର୍କସ, ଜୁନିୟର ଆସିଷ୍ଟାଣ୍ଟ, ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ଓ ଟାଇମକିପର ପଦବୀରେ ନିଯୁକ୍ତି ଦିଆଯିବ । ଆରଆରବି ଏନଟିପିସି ପରୀକ୍ଷାର ବିଜ୍ଞପ୍ତି ଗତ ୨୦୧୯ ମସିହା ଫେବୃଆରୀ ମାସ ୨୮ ତାରିଖରେ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.