fbpx

ଅଧିକ ଲଗେଜ୍ ନେଇ ଚଢୁଛନ୍ତି କି ଟ୍ରେନ୍‌ରେ, ଜରିମାନାରୁ ରକ୍ଷା ପାଇବା ଲାଗି କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଏକ ଆକଳନ ଅନୁସାରେ ଭାରତରେ ପ୍ରାୟ ୨.୫ କୋଟି ଲୋକ ଦୈନିକ ଟ୍ରେନରେ ଯାତାୟତ କରିଥାନ୍ତି । ଯାତାୟତ ଲାଗି ଭାରତୀୟଙ୍କ ପ୍ରଥମ ପସନ୍ଦ ହେଉଛି ଟ୍ରେନ୍ । ଦେଶର ସମସ୍ତ ପ୍ରମୁଖ ସହର ରେଳ ନେଟୱାର୍କ ସହ ଯୋଡି ହେବା ଓ ଭଡା କମ୍ ରହିବା କାରଣରୁ ଯାତାୟତ ଲାଗି ଲୋକମାନେ ଟ୍ରେନ୍‌କୁ ପ୍ରାଥମିକତା ଦେଇଥାନ୍ତି । ରେଳଯାତ୍ରୀ ଯାତ୍ରା ସମୟରେ ନିଜ ସହିତ ବିଭିନ୍ନ ସାମଗ୍ରୀ ବା ଲଗେଜ୍ ବି ନେଇ ଯାଇଥାନ୍ତି । କିନ୍ତୁ ଏହି ଲଗେଜ୍‌ର ଓଜନ କେତେ ହେବା ଉଚିତ ଓ ଏହାର ଆକାର ରେଳବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ଓଜନ ଓ ଆକାରରୁ ଅଧିକ ଜିନିଷ ସହିତ କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଜରିମାନା ଲାଗିପାରେ । ଏହି କାରଣରୁ ରେଲୱେର ଲଗେଜ୍ ରୁଲ୍ ବିଷୟରେ ସମସ୍ତ ଯାତ୍ରୀ ଜାଣି ରଖିବା ଉଚିତ । ଯଦି ଆପଣଙ୍କ ପାଖରେ ଅଧିକ ଲଗେଜ୍ ରହିଛି ତେବେ ଆପଣ ଏହାକୁ ଟ୍ରେନ୍‌ରେ ଲାଗିଥିବା ଲଗେଜ୍ ଭ୍ୟାନ୍‌ରେ ରଖିପାରିବେ ।

ରେଲୱେ ନିୟମ ଅନୁଯାୟୀ ଅଲଗା ଅଲଗା ଶ୍ରେଣୀରେ ରେଳ ଯାତ୍ରୀ ୪୦କିଲୋ ଠାରୁ ଆରମ୍ଭ କରି ୭୦ କିଲୋ ପର୍ଯ୍ୟନ୍ତ ଲଗେଜ୍ ନିଜ ସାଥିରେ ଟ୍ରେନ୍ ଡବାରେ ନିଜ ସହ ରଖିପାରିବେ । ରେଲୱେ କୋଚ୍ ହିସାବରେ ଲଗେଜ୍ ଓଜନ ନିର୍ଦ୍ଧାରିତ କରିଛି । ଯାତ୍ରୀ ସ୍ଲିପର କ୍ଲାସରେ ନିଜ ସହ ୪୦ କିଲୋ ପର୍ଯ୍ୟନ୍ତ ଓଜନ ନେଇ ଯାଇପାରିବ । ସେହିପରି ଏସି ଟୁ ଟାୟାରରେ ୫୦ କିଲୋ, ଫାଷ୍ଟ କ୍ଲାସ୍ ଏସିରେ ୭୦ କିଲୋ ପର୍ଯ୍ୟନ୍ତ ଲଗେଜ୍ ନେଇପାରିବ । ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଲଗେଜ୍ ନେଲେ ଯାତ୍ରୀଙ୍କ ଠାରୁ ବିଭାଗ ଅତିରିକ୍ତ ଭଡା ଆଦାୟ କରିବ । ଓଜନ ସହିତ ଲଗେଜ୍‌ର ଆକାର ବି ଧାର୍ଯ୍ୟ ହୋଇଛି । ଧାର୍ଯ୍ୟ ଆକାର ଠାର ଅଧିକ ଆକାରର ବାକ୍ସ କିମ୍ବା ସୁଟକେସ୍ ନେଲେ ଅଧିକ ଭଡା ଆଦାୟ କରାଯିବ ।

ଆପଣଙ୍କ ପାଖରେ ଯଦି ଅଧିକ ଲଗେଜ୍ ଅଛି ତେବେ ଆପଣ ଲଗେଜ୍ ରଖିବା ଲାଗି ଲଗେଜ୍ ଭ୍ୟାନ୍ ଲାଗି ବୁକିଂ କରନ୍ତୁ । ଏହା ୨ପ୍ରକାର ଉପାୟରେ ବୁକିଂ କରାଯାଇପାରେ । ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ହିଁ ଏଥିପାଇଁ ବୁକ୍ କରିପାରିବେ । ଏହା ବ୍ୟତିତ ରେଳ ଷ୍ଟେସନରେ ଥିବା ପାର୍ସଲ କାର୍ଯ୍ୟାଳୟରେ ମଧ୍ୟ ପରେ ଲଗେଜ୍ ଭ୍ୟାନ୍ ଲାଗି ବୁକିଂ କରିପାରିବେ । ଲଗେଜ୍ ଲାଗି ନ୍ୟୁନତମ ଚାର୍ଜ ୩୦ ଟଙ୍କା । ତେବେ ଏହି ଚାର୍ଜ ଓଜନ ଆଧାରରେ କମ୍ ବେଶୀ ହୋଇଥାଏ । ତେବେ ଲଗେଜ୍ ବୁକ୍ କରିବା ଲାଗି ଯାତ୍ରୀ ଟ୍ରେନ୍ ଛାଡିବାର ୩୦ ମିନିଟ୍ ପୂର୍ବରୁ ପାର୍ସଲ କାର୍ଯ୍ୟାଳୟରେ ଏହା କରାଇ ନେବା ଉଚିତ ।

Get real time updates directly on you device, subscribe now.