fbpx

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଫେରାଇ ଦିଆଯିବ ଜବତ ହୋଇଥିବା ଟଙ୍କା! ଜାଣନ୍ତୁ କ’ଣ ରହିଛି ଆୟକର ବିଭାଗର ନିୟମ

ଓଡ଼ିଶା ଭାସ୍କର: ଓଡିଶାରେ ଡିଷ୍ଟିଲରି କମ୍ପାନୀ ମାଲିକ ତଥା କଂଗ୍ରେସ ପାର୍ଟି ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚାଲିଥିବା ଆୟକର ବିଭାଗ ଚଢ଼ାଉ ଜାରି ରହିଛି । ତେବେ ଏପର୍ୟ୍ୟନ୍ତ ଏଥିରୁ ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ତେବେ ଏହା ସତ୍ତେ୍ୱ ମଧ୍ୟ ନୋଟ ଗଣନା ଜାରି ରହିଛି । ଏପରିକି ଏଥିପାଇଁ ଛୁଟିଦିନରେ ମଧ୍ୟ ବ୍ୟାଙ୍କ ଖୋଲାଯାଇଥିଲା । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି ଯେ ଏହି ଟଙ୍କାକୁ ନେଇ କ’ଣ କରାଯିବ? ଏହି ଟଙ୍କାକୁ ଅଭିଯୁକ୍ତଙ୍କୁ ଫେରାଇଦିଆଯିବ ନା ଏହାକୁ ସରକାରୀ ରାଜକୋଷରେ ଜମା କରାଯିବ? ତେବେ ଆୟକର କିମ୍ବା ଇଡି ଚଢ଼ାଉରେ ଜବତ ହୋଇଥିବା ଟଙ୍କା ଏବଂ ଉଦ୍ଧାର କରାଯିବା ପରେ ଏହାକୁ କ’ଣ କରାଯାଏ ତାହା ଜାଣିବା ।

ସର୍ବପ୍ରଥମେ ୩ଟି ଏଜେନ୍ସି ଦେଶରେ ବେଆଇନ କିମ୍ବା କଳା ଟଙ୍କା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଆୟକର ବିଭାଗ (ଆଇଟି)। ଏହି ତିନୋଟି ଏଜେନ୍ସି ଭାରତ ସରକାରଙ୍କ ଅଧୀନରେ ଅଛନ୍ତି । ତେବେ ସେମାନେ ଉପଯୁକ୍ତ ସୂଚନା ନେଇ ସେମାନେ କୌଣସି ବ୍ୟକ୍ତିଙ୍କ ଘର କିମ୍ବା ତାଙ୍କ ଅନ୍ୟ ସ୍ଥାନରେ ଚଢ଼ାଉ କରିପାରିବେ। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥାଏ।

ତେବେ ସିବିଆଇ, ଇଡି କିମ୍ବା ଆଇଟି ଏହି ଚଢ଼ାଉରେ ନଗଦ ଟଙ୍କା ଜବତ କରିଥାଏ । ତେବେ ଜବତ କରାଯାଇଥିବା ସମସ୍ତ ଟଙ୍କାର ତଥ୍ୟ ମାଗିଥାନ୍ତି। ତେବେ ଅଭିଯୁକ୍ତ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେଲେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଜବତ ଟଙ୍କାକୁ ବ୍ଲାକ ମନୀ ଭାବରେ ବିବେଚନା କରାଯାଏ । ଏହା ପରେ ଏଜେନ୍ସି ନିକଟତମ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଯୋଗାଯୋଗ କରିଥାଏ । ଏହା ସହିତ ଜବତ ହୋଇଥିବା ନଗଦ ଅର୍ଥର ସମ୍ପୂର୍ଣ୍ଣ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥାଏ । ତେବେ ଗଣନା ପ୍ରକ୍ରିୟା ସମାପ୍ତ ହେବା ପରେ ନୋଟଗୁଡିକ ବାକ୍ସରେ ପ୍ୟାକ୍ କରାଯାଇ ନିରପେକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ସିଲ୍ କରାଯାଏ । ତା’ପରେ ଏହାକୁ ଏସବିଆଇ ଶାଖାକୁ ନିଆଯାଏ । ସେଠାରେ ସଂପୂର୍ଣ୍ଣ ରାଶି ଏଜେନ୍ସିର ବ୍ୟକ୍ତିଗତ ଜମା ଖାତାରେ ଜମା ହୋଇଥାଏ । ପରେ ଏହି ରାଶି କେନ୍ଦ୍ର ସରକାରଙ୍କ ଆକାଉଣ୍ଟକୁ ଚାଲିଯାଇଥାଏ ।

ତେବେ ଏହି ଚଢ଼ାଉ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିନଥାଏ । ତେବେ ଯେପର୍ୟ୍ୟନ୍ତ ମାମଲା କୋର୍ଟରେ ବିଚାରାଧୀନ ଅଛି ଏହି ଟଙ୍କାକୁ କେହି ବ୍ୟବହାର କରିପାରିବେ ନାହିଁ। କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ସରକାରୀ ସମ୍ପତ୍ତିରେ ପରିଣତ ହେବ । ଯଦି ଏହି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି ତେବେ ଏହି ସମସ୍ତ ଟଙ୍କା ଅଭିଯୁକ୍ତକୁ ଫେରସ୍ତ କରାଯାଇଥାଏ।

ଅନ୍ୟପକ୍ଷରେ ଯଦି ଅଭିଯୁକ୍ତ ଅନୁଭବ କରନ୍ତି ଯେ କୌଣସି ମନ୍ଦ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟ ନେନଇ ତାଙ୍କ ଘରେ ଚଢ଼ାଉ କରାଯାଇଛି ତେବେ ସେ ସିଧାସଳଖ ହାଇକୋର୍ଟରେ ସମସ୍ତ ମାମଲାକୁ ଚ୍ୟାଲେଞ୍ଜ କରିପାରିବେ । ଏହା ବ୍ୟତୀତ ସେ ଆୟକର କମିଶନରଙ୍କ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ। ଏହାକୁ ଆଧାର କରି ଆୟକର ବିଭାଗ ଏହା କିପରି ସମ୍ପତ୍ତିର ହିସାବ କରିଛି ତାହା ଜଣାଇବାକୁ ପଡ଼ିବ ।

Get real time updates directly on you device, subscribe now.