fbpx

ରେଳ ବିଭାଗର ନୂଆ ପଦକ୍ଷେପ:ଏଣିକି ସବୁ ଷ୍ଟେସନରେ ମହିଳାଙ୍କ ଲାଗି ରହିବ ବ୍ରେଷ୍ଟ ଫିଡିଂ ରୁମ୍

ମୁମ୍ବାଇ:କଅଁଳ ଶିଶୁଙ୍କୁ ନିର୍ଦ୍ଧିଷ୍ଟ ସମୟାନ୍ତରରେ ସ୍ତନ୍ୟପାନ କରାଇବା ମା ପାଇଁ ନିହାତି ଜରୁରୀ ହୋଇଥାଏ । କିନ୍ତୁ ସର୍ବସାଧାରଣ ସ୍ଥାନରେ ଯାତାୟତ ସମୟରେ ଜଣେ ମହିଳା ନିଜ ଶିଶୁ ସନ୍ତାନକୁ ସ୍ତନ୍ୟପାନ କରାଇବାକୁ କୁଣ୍ଠାବୋଧ କରିଥାଏ । ବିଶେଷ କରି ଟ୍ରେନ୍ ଯାତ୍ରା ସମୟରେ ଷ୍ଟେସନରେ ବହୁ ସମୟ ଧରି ଟ୍ରେନକୁ ଅପେକ୍ଷା କରିବା ସମୟରେ ମା ମାନଙ୍କୁ ସନ୍ତାନକୁ ସ୍ତନ୍ୟ ପାନ କରାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏପରି ମହିଳାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି । ଏଣିକି ସବୁ ଷ୍ଟେସନରେ ମହିଳାଙ୍କ ଲାଗି ବ୍ରେଷ୍ଟ ଫିଡିଂ ରୁମ୍ ରହିବ । ଫଳରେ ମା ମାନଙ୍କୁ ଆଉ ନିଜ ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଇବାକୁ ଏଣେ ତେଣେ ଘୁରି ବୁଲିିବାକୁ ପଡିବ ନାହିଁ । ଦେଶର କିଛି ଷ୍ଟେସନରେ ଏହି ବ୍ୟବସ୍ଥା ଆରମ୍ଭ ହୋଇସାରିଥିବା ବେଳେ ଲୋକଙ୍କ ଠାରୁ ମିଳୁଥବା ପ୍ରତିକ୍ରିୟାକୁ ଦେଖି ବାକି ଷ୍ଟେସନଗୁଡିକରେ ଏହି ବ୍ୟବସ୍ଥା କରାଯିବ ।

ମୁମ୍ବାଇ ଡିଭିଜନ୍ ରେ ଏହି ବ୍ରେଷ୍ଟ ଫିଡିଂ ରୁମ୍ ର ଆରମ୍ଭ ହୋଇସାରିଛି । ମଧ୍ୟ ରେଲୱେର ମୁମ୍ବାଇ ଡିଭିଜନର ୭ ପ୍ରମୁଖ ଷ୍ଟେସନରେ ୧୩ ଗୋଟି ବ୍ରେଷ୍ଟ ଫିଡିଂ ରୁମ୍ ନିର୍ମାଣ କରାଯାଇଛି । ଏହି ବ୍ରେଷ୍ଟ ଫିଡିଂ ରୁମ୍ ନ୍ୟାସନାଲ୍ ଇନିସିଏଟିଭ୍ ଫର୍ ଫଣ୍ଡିଂ ଆଣ୍ଡ ରେଷ୍ଟିଂ ଇନଫ୍ରାଷ୍ଟ୍ରକଚର୍ ଫର୍ ଷ୍ଟେସନ ପଲିସି ଜରିଆରେ ନିର୍ମାଣ କରାଯାଇଛି । ତେବେ ଏହା ମୁମ୍ବାଇରେ ପ୍ରଥମେ ଆରମ୍ଭ କରାଯିବା ପଛରେ ଏକ ବିଶେଷ କାରଣ ରହିଛି । କାରଣ କେନ୍ଦ୍ରୀୟ ରେଲୱେରୁ ଏଠାରେ ଥିବା ଷ୍ଟେସନରୁ ଦୈନକ ସର୍ବାଧିକ ୩୫ ଲକ୍ଷ ଯାତ୍ରୀ ଯାତାୟତ କରିଥାନ୍ତି ଏବଂ ଏଥିରେ ମହିଳାଙ୍କ ସଂଖ୍ୟା ୨୦ ପ୍ରତିଶତ ରହିଥାଏ । ରେଳ ଅଧିକାରୀ କହିଛନ୍ତି ଏହି ବ୍ରେଷ୍ଟ ଫିଡିଂ ରୁମ୍ ଏକ ପରୀକ୍ଷଣ ସ୍ତରରେ ନିର୍ମାଣ କରାଯାଇଛି । ଯଦି ଏହାର ପରିଣାମ ଭଲ ହେଲା ତେବେ ଦେଶର ଅନ୍ୟ ପ୍ରମୁଖ ଷ୍ଟେସନରେ ଏହି ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.