fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ; ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ଅନୁମାନ, କାଲିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ପଶ୍ଚିମ–କେନ୍ଦ୍ରୀୟ ତତ୍‍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ ସମୁଦ୍ର ପତନଠାରୁ ପାଖାପାଖି ୬ କିଲୋମିଟର ଉର୍ଦ୍ଧରେ ଗୋଟେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ତରଫରୁ ସୂଚନା ମିଳିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।

ଆସନ୍ତାକାଲିଠାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ । ମୌସୁମୀ ବର୍ଷା ସ୍ୱାଭାବିକ ଥିବାରୁ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ଜୁନ୍‍ ମାସ ୧ ତାରିଖରୁ ଗତକାଲି ସୁଦ୍ଧା ରାଜ୍ୟରେ ୪୦୧ ଦଶମିକ ୩ ମିଲିମିଟର ବର୍ଷା ହୋଇଛି । ଯାହା ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ୪୫୮ ଦଶମିକ ୮ ମିଲିମିଟର ତୁଳନାରେ ୧୩ ପ୍ରତିଶତ କମ୍‍ ଥିବା ପାଣିପାଗ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୮୪ ଦଶମିକ ୪ ମିଲିମିଟର ବର୍ଷା ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ସବୁଠାରୁ କମ୍‍ ୨୨୧ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଏବଂ ଆଭ୍ୟନ୍ତରୀଣ ଜିଲ୍ଲା କନ୍ଧମାଳର କେତୋଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କହିଛି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଏବଂ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି । ଆଜି ଦ୍ୱିତୀୟ ଦିନରେ ହୀରାକୁଦରୁ ୮ଟି ଗେଟ୍‍ ଦେଇ ବନ୍ୟାଜଳ ଛଡାଯାଉଛି । ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆସନ୍ତା ୩୬ ଘଣ୍ଟା ଭିତରେ ବନ୍ୟାଜଳ କଟକର ମୁଣ୍ଡଳିଠାରେ ପହଁଞ୍ôଚବ । ଆଜି ଦିନ ୧୨ଟାସୁଦ୍ଧା ହୀରାକୁଦ ନଦୀବନ୍ଧକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର ୪୩ କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବାବେଳେ ପାୱାର ଚାନେଲ୍‍ ଓ ସ୍ପିଲ୍‍ୱେ ଦେଇ ୧ ଲକ୍ଷ ୬୨ ହଜାର ୭୩୮ କ୍ୟୁସେକ୍‍ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ନଦୀବନ୍ଧର ଜଳସ୍ତର ୬୧୪ ଦଶମିକ ୪/୩ ଫୁଟ ରହିଛି ।

Get real time updates directly on you device, subscribe now.