fbpx

ସରକାରୀ କର୍ମଚାରୀଙ୍କୁ ଡବଲ ଗିଫ୍ଟ: ପୁଣି ବଢ଼ିଲା ମହଙ୍ଗା ଭତ୍ତା, କେନ୍ଦ୍ର ପରେ ଏବେ ରାଜ୍ୟ

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ । ଏହାଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ପେନସନଭୋଗୀ ଓ କେନ୍ଦ୍ର କର୍ମଚାରୀ ଉପକୃତ ହେବାକୁ ଯାଉଛନ୍ତି । ତେବେ ଆଜି ପୁଣି ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ଼ ଉପହାର ଆସିଛି ।

ସୂଚନା ମୁତାବକ, ଆଜି ରାଜସ୍ଥାନ ସରକାର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଅଶୋକ ଗେହଲଟ ସରକାର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଗିଫ୍ଟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କର୍ମଚାରୀଙ୍କ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚି ଯାଇଛି । ରାଜ୍ୟ କର୍ମଚାରୀ ଓ ପେନସନଧାରୀଙ୍କୁ ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖଠାରୁ ଏହି ବର୍ଦ୍ଧିତ ଡିଏ ମିଳିବ ।

ତେବେ ଏହି ଡିଏ ବୃଦ୍ଧି ଫଳରେ ରାଜ୍ୟ ରାଜକୋଷରୁ ବାର୍ଷିକ ପାଖାପାଖି ୧୬୪୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ରାଜ୍ୟର ପାଖାପାଖି ୮ ଲକ୍ଷ କର୍ମଚାରୀ ଓ ୪.୪ ଲକ୍ଷ ପେନସନଧାରୀଙ୍କୁ ଏହାର ଫାଇଦା ମିଳିବ । ସୂଚନାଯୋଗ୍ୟ ଯେ, ଗତକାଲି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଡିଏ ବୃଦ୍ଧି ଉପହାର ଦେବା ପରେ ପରେ ଆଜି ରାଜ୍ୟ ସରକାର ମଧ୍ୟ ଅନୁରୂପ ପନ୍ଥା ଆପଣାଇଛନ୍ତି । ମାର୍ଚ୍ଚ ମାସର ବେତନ ସହିତ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ମିଳିବ । ଏହି ନିଷ୍ପତ୍ତି ଫଳରେ କେନ୍ଦ୍ରୀୟ ରାଜକୋଷରୁ ବାର୍ଷିକ ୧୨,୮୧୫ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯିବ ।

Get real time updates directly on you device, subscribe now.