fbpx

ଏ କି ଚମତ୍କାର! ରାମଲଲାଙ୍କ ପ୍ରତିମାର ମୁଖର ଭାବ, ଆକୃତି ଓ ଚାହାଁଣି ବଦଳିଗଲା, ଆଶ୍ଚର୍ଯ୍ୟ ହୋଇଗଲେ ନିଜେ ମୂର୍ତ୍ତିକାର ଯୋଗୀରାଜ

AAKASH

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଏହା ମଧ୍ୟରେ ତିନି ଦିନ ବିତିଯାଇଥିଲେ ବି ତାହାକୁ ନେଇ ଏବେ ବି ଚର୍ଚ୍ଚା ଥମିନାହିଁ । ଏବେ ବି ହଜାର ହଜାର ରାମ ଭକ୍ତ ତାଙ୍କର ପ୍ରିୟ ପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି । ପ୍ରଥମ ଦିନରେ ପାଖାପାଖି ୫ ଲକ୍ଷ ଭକ୍ତ ଦର୍ଶନ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଫେବୃଆରୀ ମାସରେ ରାମ ମନ୍ଦିରକୁ ନ ଯିବାକୁ ମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଆଇପି ପ୍ରୋଟୋକଲ ଅନୁସାରେ ଭକ୍ତଙ୍କର ଦର୍ଶନରେ ସମସ୍ୟା ସୃଷ୍ଟି ହେବା ଅନୁମାନ କରି ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହା ମଧ୍ୟରେ ରାମ ମନ୍ଦିରରୁ ଆସିଛି ଏକ ବଡ଼ ଖବର । ପ୍ରାଣ ପ୍ରତିଷ୍ଠା ପରେ ବାଳ ଶ୍ରୀରାମଙ୍କ ମୁଖମଣ୍ଡଳ ବଦଳି ଯାଇଛି । ପ୍ରଭୁଙ୍କ ପ୍ରତିମାରେ ଏପରି ପରିବର୍ତ୍ତନ ହୋଇଛି ବିଗ୍ରହକୁ ନିର୍ମାଣ କରିଥିବା ଖୋଦ୍ ମୂର୍ତ୍ତିକାର ଅରୁଣ ଯୋଗୀରାଜ ବି ତାହାକୁ ଚିହ୍ନି ପାରି ନାହାନ୍ତି । ଅରୁଣ ୭ ମାସ ଧରି ବିଗ୍ରହକୁ ନିର୍ମାଣ କରିବା ସହ ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପର୍ଯ୍ୟନ୍ତ ୧୦ ଦିନ ସମୟ ମୂର୍ତ୍ତି ସହିତ ବିତାଇଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କ ଚାହାଣି, ଆକୃତି ଓ ମୁଖର ଭାବ ଏତେ ପରିବର୍ତ୍ତନ ହୋଇଯାଇଥିଲା ସେ ମୂର୍ତ୍ତିକୁ ଚିହ୍ନି ପାରିନଥିଲେ ବୋଲି କହିଛନ୍ତି ।

ତେବେ ମୂର୍ତ୍ତିକାର ଅରୁଣ ପଥରକୁ ମୂର୍ତ୍ତିର ରୂପ ଦେଇଥିଲେ, ମାତ୍ର ପ୍ରତିଷ୍ଠା ପରେ ପ୍ରଭୁ ଦିବ୍ୟ ରୂପରେ ଝଲସୁଛନ୍ତି । ପ୍ରଭୁ ନିଜର ଇଚ୍ଛା ଅନୁସାରେ ଅଦ୍ଭୂତ ମନମୋହନ ରୂପ ଧାରଣ କରିଥିବା ରାମକଥା ବାଚକ ମତ ଦେଇଛନ୍ତି । ସ୍ୱର୍ଣ୍ଣ ଅଳଙ୍କାର ସାଙ୍ଗକୁ ବିଭିନ୍ନ ଆଭୁଷଣରେ ସଜ୍ଜିତ ହେବା ପରେ ରାମଲଲା ସତେ ଯେମିତି ଜୀବନ୍ତ ହୋଇ ଉଠିଛନ୍ତି । ତେଣୁ କୋଟି କୋଟି ଜନ୍ମର ପାପକୁ କ୍ଷୟ କରିବା ପାଇଁ ଅଯୋଧ୍ୟାକୁ ଏବେ ଭକ୍ତଙ୍କର ସୁଅ ଛୁଟିଛି । ସେଥିପାଇଁ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ପ୍ରଥମ ମୂର୍ତ୍ତି ସ୍ଥାପିତ ହୋଇଥିବା ବେଳେ ଆଉ ଦୁଇଟି ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଥିଲା । ଦ୍ୱିତୀୟ ମୂର୍ତ୍ତିକୁ ଶିଳ୍ପୀ ସତ୍ୟ ନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ । ସେହି ମୂର୍ତ୍ତି ସ୍ୱର୍ଣ୍ଣ ବର୍ଣ୍ଣର ହୋଇଥିବା ବେଳେ ସେଥିରେ ଭଗବାନ ରାମଙ୍କ ଚରଣରେ ହନୁମାନ ବିରାଜମାନ କରିଥିଲେ । ଭଗବାନ ବିଷ୍ଣୁଙ୍କ ଅବତାରକୁ ଚାରିପାଖରୁ ପ୍ରସ୍ତୁତ କରାଯାଇଥିଲା ।

ସେହିପରି ତୃତୀୟ ମୂର୍ତ୍ତିକୁ ବେଙ୍ଗାଲୁରୁର ଜି.ଏସ ଭଟ୍ଟ ନିର୍ମାଣ କରିଥିଲେ । ଉକ୍ତ ମୂର୍ତ୍ତିରେ ମଧ୍ୟ ରାମଲଲାଙ୍କ ଶ୍ୟାମଳ ରଙ୍ଗ ଦେଖିବାକୁ ମିଳିଥିଲା । ପ୍ରଭୁଙ୍କ ଡାହାଣ ହାତରେ ତୀର ଓ ବାମ ହାତରେ ଧନୁ ଦେଖିବାକୁ ମିଳିଥିଲା । ପ୍ରଥମ ମୂର୍ତ୍ତିରେ ଭଗବାନ ରାମଙ୍କ ହାତରେ ସୁବର୍ଣ୍ଣ ରଙ୍ଗର ଧନୁ-ତୀର ରହିଥିବା ବେଳେ ତୃତୀୟ ମୂର୍ତ୍ତିରେ କଳା ରଙ୍ଗର ଧନୁ-ତୀର ଦେଖିବାକୁ ମିଳିଥିଲା । । ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଥିବା ମୂର୍ତ୍ତି ତୁଳନାରେ ନୂଆ ମୂର୍ତ୍ତିରେ ବେଶି ତାରତମ୍ୟ ଦେଖିବାକୁ ମିଳି ନଥିଲା । ପରେ ଆସିଥିବା ଦୁଇ ମୂର୍ତ୍ତିକୁ ମଧ୍ୟ ମନ୍ଦିରରେ ସ୍ଥାପନ କରାଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.