fbpx

ମହିଳାଙ୍କୁ ଦୁଷ୍ମର୍ମ, ଦୋଷୀକୁ ତୁରନ୍ତ ଦଣ୍ଡ ଦାବି

ମାଲକାନଗିରି, ୧୦ା୫ (ଓଡ଼ିଶା ଭାସ୍କର): ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଘଟିଛି । ଟେକବାଡ଼ ସାହିରେ ରହୁଥିବା ଜଣେ ମହିଳାଙ୍କୁ ଚଳିତ ମାସ ୭ ତାରିଖରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ପୋଲିସ କ୍ୟାଣ୍ଟିନର ମାଲିକ ବିବିସି ଦାସ ଆସି ତାଙ୍କୁ ତାଙ୍କ ପତ୍ନୀଙ୍କ ଦେହ ଖରାପ ଥିବା ଓ ମେଡ଼ିକାଲକୁ ନେବା ସମ୍ପର୍କରେ କହିଥିଲେ । ଏହାପରେ ଶ୍ରୀ ଦାସ ଓ ମହିଳାଙ୍କ ସ୍ୱାମୀ ଉଭୟ ମିଶି ମହିଳାଙ୍କୁ ନେଇ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ୭ ତାରିଖଠାରୁ ମହିଳାଙ୍କୁ ହୋସ୍ ଆସିନାହିଁ । ଗତକାଲି ସଂନ୍ଧ୍ୟାରେ ମା’ ଘର ସଦସ୍ୟା ଓ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ସଦସ୍ୟମାନେ ଘଟଣା ସମ୍ପର୍କରେ ଜାଣିବା ପରେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ସମ୍ପର୍କରେ ଜାଣି ପାରିଥିଲେ । ଘଟଣା ଘଟିବାର ୩ ଦିନ ବିତି ଯାଇଥିଲେ ମଧ୍ୟ ମେଡ଼ିକାଲ୍ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନଥିବାରୁ ମା’ ଘର ସଦସ୍ୟାମାନେ ମହିଳାଙ୍କ ସ୍ୱାମୀଙ୍କୁ ନେଇ ଗତକାଲି ଥାନାରେ ଏତଲା ଦେଇଥିଲେ । ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି ।

ମା’ ଘର ସଦସ୍ୟାମାନେ ଓ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ସଦସ୍ୟମାନେ ଏହି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ମା’ ଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀ କହିଛନ୍ତି ଯେ, ପିଡ଼ୀତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତିବିକ୍ଷତ ଚିହ୍ନ ରହିଛି । ପିଡ଼ୀତାଙ୍କୁ ଉଚିତ୍ ନ୍ୟାୟ ଦିଆଯିବା ଦରକାର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.