fbpx

ରାପିଡୋକୁ ହାଇକୋର୍ଟ ଝଟକା, ସମସ୍ତ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବାଇକ୍ ଟ୍ୟାକ୍ସି ସେବା ଯୋଗାଉଥିବା କମ୍ପାନୀ ରାପିଡୋକୁ ବମ୍ବେ ହାଇକୋର୍ଟରୁ ଲାଗିଛି ବଡ଼ ଝଟକା। ହାଇକୋର୍ଟ ପୁଣେରେ ସମସ୍ତ ସେବା ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ବାଇକ୍ ଟ୍ୟାକ୍ସି ସେବା ସହିତ ଅଟୋ ଏବଂ ଡେଲିଭରୀ ସେବା ବନ୍ଦ କରିବାକୁ କହିଛନ୍ତି। ରାପିଡୋ ଟ୍ୟାକ୍ସି ସେବା ସମ୍ବନ୍ଧୀୟ ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ଶୁକ୍ରବାର (ଜାନୁଆରୀ ୧୩) ଦିନ ୧ ଟାରୁ ସମସ୍ତ ସେବା ବନ୍ଦ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଆଜିର ଏହି ଆଦେଶ ପରେ କମ୍ପାନୀ ୨୦ ଜାନୁଆରୀ ମଧ୍ୟରେ ସମ୍ପୁର୍ଣ୍ଣ ରାଜ୍ୟରେ ସମସ୍ତ ସେବା ବନ୍ଦ କରିବାକୁ ପ୍ରସ୍ତୁତ ଥିବା କହିଛି। ଏହି ମାମଲାରେ ଆଗାମୀ ଶୁନାଣି ଆଗାମି ଶୁକ୍ରବାର ହେବ।

ସୂଚନା ଅନୁସାରେ ରାପିଡୋ ପୁଣେ ଆରଟିଓରେ ୧୬ ମାର୍ଚ୍ଚ ୨୦୨୨ ରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ଯାହା ପରିବହନ ବିଭାଗ ଦ୍ୱାରା ଖାରଜ କରାଯାଇଥିଲା। ଏହା ସହିତ ପରିବହନ ବିଭାଗ ମଧ୍ୟ ରାପିଡୋ’ର ଆପ୍ ଏବଂ ଏହାର ସେବା ବ୍ୟବହାର ନକରିବାକୁ ଲୋକଙ୍କୁ ନିବେଦନ କରିଥିଲା। ଏହା ପରେ ରାପିଡୋ ବମ୍ବେ ହାଇକୋର୍ଟକୁ ଏହି ମାମଲାରେ ଯାଇଥିଲା। ନଭେମ୍ବର ୨୯, ୨୦୨୨ ରେ, ହାଇକୋର୍ଟ ବିଭାଗକୁ ଅନୁମତିର ପୁନର୍ବିଚାର କରିବାକୁ କହିଥିଲେ। ୨୧ ଡିସେମ୍ବର ୨୦୨୨ ରେ ଆରଟିଓ ବୈଠକରେ ଏହାକୁ ପୁନର୍ବାର ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ରାଜ୍ୟରେ ବାଇକ୍ ଟ୍ୟାକ୍ସି ସମ୍ବନ୍ଧରେ କୌଣସି ସ୍ପଷ୍ଟ ନିୟମ ନାହିଁ।

ପୁନର୍ବାର ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ରାପିଡୋ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି ବେଳେ ଶୁକ୍ରବାର ଦିନ ହାଇକୋର୍ଟ ବାଇକ୍ ଟ୍ୟାକ୍ସି ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ‘ବାଇକ୍ ଟ୍ୟାକ୍ସି’ ସମ୍ବନ୍ଧରେ ଏକ ସ୍ୱାଧୀନ କମିଟି ଗଠନ କରାଯାଇଛି। କମିଟି ଖୁବ ଶୀଘ୍ର ଏ ସମ୍ପର୍କରେ ନିଜର ରିପୋର୍ଟ ଦାଖଲ କରିବ। ସେପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ସେବାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି।

Get real time updates directly on you device, subscribe now.