fbpx

ବର୍ଷା ସତ୍ତ୍ୱେ ଜୋରସୋରରେ ଆଗଉଛି ରଥ ନିର୍ମାଣ କାମ

ପୁରୀ(ଓଡିଶା ଭାସ୍କର): ଓଡ଼ିଶାରେ ମୋୖସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରଥ ଖଳାରେ ରୂପକାରମାନେ ନାଟଗଡୁ କାମ ଅନୁକୁଳ କରିଛନ୍ତି । ୨ ଶହ ଜଣ ରଥ ନିର୍ମାଣ ସେବକ ଶ୍ରୀଜିଉଙ୍କ ରଥ କାମରେ ଲାଗିଛନ୍ତି । ପ୍ରତି ରଥରେ ୮ଟି ଲେଖାଏଁ ମୋଟ ୩ ରଥର ୨୪ଟି ନାଡଗଡୁ ନିର୍ମାଣ କରାଯିବ ।

ତିନିରଥର ୪୨ ଚକ ଓ ୨୧ ଅଖ କାମ‌ ଶେଷ ପରେ ଶନିବାର ସମସ୍ତ ଚକ-ଅଖ ସଂଯୋଗ ସହ ଚକଡେରା କାମ ‌ଶେଷ ହୋଇଛି । ଆଜି ରଥରେ ଦଣ୍ଡା ପଡ଼ିଛି । ମୋଟ ୨୫ଟି ଦଣ୍ଡା ୩ଟି ରଥରେ ଲଗାଯାଇଛି । ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ଆଗରୁ ତିନିରଥର ଫ୍ରେମ କାମ ଶେଷ ହୋଇଛି । ଆଜି ସୁଦ୍ଧା ୯ଟି ଜଳଯନ୍ତ୍ର, ୬ଟି ଗରଗରା ନିର୍ମାଣ ସରିଛି । ସେହିଭଳି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଓ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥର ୧୬ଟି ଲେଖାଏଁ କୋଣଗୁଜ କାମ ସରିଛି । ତିନି ରଥର ଦଣ୍ଡା ଫ୍ରେମଗୁଡ଼ିକରେ ପରୀକ୍ଷାମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯୋଗ କରାଯାଇଥିଲା । ଏହି ଦଣ୍ଡା ଫ୍ରେମ ପୁନଃ ସେଟିଂ ପାଇଁ ନମ୍ବରି କାମ ଶେଷ ହୋଇଛି ।

Get real time updates directly on you device, subscribe now.