fbpx

ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଟିମ୍ ତାଙ୍କୁ ଖୋର୍ଦ୍ଧ ନିକଟରେ ଧରିଥିଲା । ନିନା ୬ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଆସୁଥିଲେ । ତେବେ ଭିଜିଲାନ୍ସ ଟିମଙ୍କୁ ନିନା ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ଜଣାପଡ଼ିଛି ଯେ, ନିନା ଓ ତାଙ୍କର ସମ୍ପର୍କୀୟଙ୍କ ଏକାଧିକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ନିନାଙ୍କ ମାହାଙ୍ଗା ସ୍ଥିତ ଘରେ ରେଡ୍ ବେଳେ ବାଧା ଉପୁଜିଥିଲା । ନିନାଙ୍କ ସ୍ୱାମୀ ମାହାଙ୍ଗା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରନ୍ତି । ତେବେ ଭିଜିଲାନ୍ସ ରେଡ୍ ବିଷୟରେ ଜାଣିବା ପରେ ନିନାଙ୍କ ସ୍ୱାମୀ ଘରେ ତାଲା ପକାଇ କୁଆଡ଼େ ପଳାଇ ଯାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଆଇଆଇସିଙ୍କ ସହ ଯୋଗାଯୋଗ କରିବା ପାଇଁ ଭିଜିଲାନ୍ସ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ତେଣୁ ଆଇଆଇସିଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଦିନକୁ ଦିନ ଜଣଙ୍କ ପରେ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଗତ ୧୨ ତାରିଖରେ ଜଣେ ଫରେଷ୍ଟର ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ।

Get real time updates directly on you device, subscribe now.