fbpx

RBI ପ୍ରତିଷ୍ଠା କରିବ ‘ଡିଜିଟାଲ ପେମେଣ୍ଟସ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ’: ଅନଲାଇନ୍ ଠକେଇକୁ ରୋକିବା ପାଇଁ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲରେ ଜନସାଧାରଣ ଅଧିକ ମାତ୍ରାରେ ସକ୍ରିୟ ରହୁଥିବା ବେଳେ ସେହି ଅନୁପାତରେ ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ସାମାନ୍ୟ ଭୁଲ ବୋଲି ଦୈନନ୍ଦିନ ଜୀବନରେ ଅନେକ ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ସାଇବର ସେଲରେ ଅଭିଯୋଗ କଲେ ମଧ୍ୟ ଚୋରକୁ ଧରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ।

ଡିଜିଟାଲ ଫ୍ରଡ ଉପରେ ଅଙ୍କୁଶ ଲଗାଇବା ପାଇଁ ଆରବିଆଇ ‘ଡିଜିଟାଲ ପେମେଣ୍ଟସ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ’ ପ୍ରତିଷ୍ଠା କରିବ । କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଆଜି ଘୋଷଣା କରିଛନ୍ତି । ଡିଜିଟାଲ ପେମେଣ୍ଟକୁ ଆହୁରି ମଜବୁତ କରିବା ସହିତ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆରବିଆଇ ଏହି ପଦକ୍ଷେପ ନେଇଛି ବୋଲି ଶ୍ରୀ ଦାସ କହିଛନ୍ତି । ସମଗ୍ର ଡିଜିଟାଲ ପେମେଣ୍ଟସ ଇକୋସିଷ୍ଟମରେ ନେଟୱାର୍କ ସ୍ତରରେ ବୁଦ୍ଧିମତା ଓ ରିଅଲ ଟାଇମ୍ ଡାଟା ଶେୟାରିଂ ପାଇଁ ଏହି ପ୍ଲାଟଫର୍ମ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏହି ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ଆରବିଆଇ ଏକ କମିଟି ଗଠନ କରିଛି । ଏହା ବିଭିନ୍ନ ଦିଗ ଉପରେ ବିଚାର କରିବା ସହିତ କାର୍ଯ୍ୟ କରିବ । ଜନସାଧାରଣଙ୍କ ଡିଜିଟାଲ କାରବାରକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥାଏ । ଗ୍ରାହକଙ୍କର ସୁରକ୍ଷା ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଦାସ କହିଛନ୍ତି ।

Get real time updates directly on you device, subscribe now.