ରଥଯାତ୍ରାରେ କାହିଁକି ହେଲା ଦଳାଚକଟା ? ଏଥିପାଇଁ ଦାୟୀ କିଏ ? ଜାଣନ୍ତୁ କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ…
ରଥଯାତ୍ରାର ଏତେ ପ୍ରସ୍ତୁତି ପରେ ବି କାହିଁକି ଘଟିଲା ଏଭଳି ଅଘଟଣ ? କାହିଁକି ବଡ଼ଡାଣ୍ଡରେ ଚାଲିଗଲା 3 ଭକ୍ତଙ୍କ ଜୀବନ ? ଜାଣନ୍ତୁ କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ପୁରୀ: ରଥଯାତ୍ରାର ଏତେ ପ୍ରସ୍ତୁତି ପରେ ବି କାହିଁକି ଘଟିଲା ଏଭଳି ଅଘଟଣ ? କାହିଁକି ବଡ଼ଡାଣ୍ଡରେ ଚାଲିଗଲା 3 ଭକ୍ତଙ୍କ ଜୀବନ ? ପଶାସନର କଡ଼ା ସୁରକ୍ଷା ଭିତରେ କାହିଁକି ହେଲା ହଳାଚକଟା ? ଏଥିପାଇଁ ଦାୟୀ କିଏ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ।
ସୂଚନା ଅନୁସାରେ ଆଜି ଭୋର 4 ଟା ସମୟରେ ଏପରି ଅଘଟଣ ଘଟିଛି । 3 ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିାବ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।
ତେବେ ଏହି ଘଟଣାରୁ ଏବେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ରଥଯାତ୍ରା କେତେ ବ୍ୟବସ୍ଥିତ ଥିଲା । ତଥାପି ପ୍ରଶାସନ କିମ୍ବା ପୁଲିସ ଚେତିଲେ ନାହିଁ। କୌଣସି ସତର୍କତାମୂଳକ ପଦକ୍ଷେପ ନିଆଗଲା ନାହିଁ। ପ୍ରତିବର୍ଷ ରଥରେ ଦିଅଁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥାଏ। ପୁଲିସ ଏବଂ ପ୍ରଶାସନ ଏହା ଜାଣିଥିଲେ ବି ଶୃଙ୍ଖଳିତ ଦର୍ଶନ ପାଇଁ କିଛି ବ୍ୟବସ୍ଥା ହୋଇ ନ ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦଳାଚକଟା ସମୟରେ ପୁଲିସ ଉପସ୍ଥିତ ନ ଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ କେହି ନ ଥିଲେ।
ବୋଲଗଡ଼ ଅଞ୍ଚଳର ମୃତା ବାସନ୍ତୀ ସାହୁଙ୍କ ସ୍ଵାମୀ ଦିଲ୍ଲୀପ ସାହୁଙ୍କ କହିବା ଅନୁସାରେ, ଜଣେ ଯୁବକ ହଠାତ ପାଟି କରି ଦୌଡ଼ି ଆସିଥିଲେ। ଫଳରେ ଅନ୍ୟ ଶ୍ରଦ୍ଧାଳୁମାନେ ବି ଦୌଡ଼ାଦୌଡ଼ି ହୋଇ ରଥ ଆଡକୁ ମୁହାଁଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ଠେଲାପେଲାରେ ତଳେ ପଡ଼ିଯାଇଥିଲେ। 250ରୁ 300 ଶ୍ରଦ୍ଧାଳୁ ତାଙ୍କ ସ୍ତ୍ରୀଙ୍କ ଉପରେ ଚଢ଼ି ଚାଲିଯାଇଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ମୁହଁରେ ପାଣି ଠୋପାଏ ଦେବା ପାଇଁ ପୋଲିସକୁ ଆକୁଳ ନିବେଦନ କରିଥିଲେ । ହେଲେ କେହି ପାଣି ଠୋପାଏ ବି ଦେଇନଥିଲେ । ଘଟଣା ପରେ କେହି ପୁଲିସ କିମ୍ବା ଆମ୍ବୁଲାନ୍ସ ସହାୟତା ପାଇଁ ନ ଥିଲେ। ସେ ନିଜେ ତାଙ୍କ ସ୍ତ୍ରୀଙ୍କୁ ଧରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆହତ ମଧ୍ୟ ହୋଇଥିବା ଦିଲ୍ଲୀପ କହିଛନ୍ତି।
ସେପଟେ ଶ୍ରଦ୍ଧାଳୁ ବସିବା ପାଇଁ ଯେଉଁ ପଲିଥିନ ବ୍ୟବହାର କରିଥିଲେ ,ଝିପି ଝିପି ବର୍ଷା ହେବରୁ ପଲିଥିନରେ ଗୋଡ଼ ଖସିଗଲା । ଜଣଙ୍କ ପରେ ଜଣେ କଚାଡ଼ି ହୋଇ ପଡ଼ିବାରୁ ଏଭଳି ଅଘଟଣ ହୋଇଥିବା କେତେକ ଶ୍ରଦ୍ଧାଳୁ କହିଛନ୍ତି ।
ତେବେ ଗୁଣ୍ଡିଚା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ମାତ୍ର ଦୁଇପାଦ ଟଣା ହେବା, କର୍ଡ଼ନ ଭିତରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବେଶ, ଠେଲାପେଲା-ଦଳାଚକଟାରେ ଆଘାତ ହୋଇ 700ରୁ ଅଧିକ ଶ୍ରଦ୍ଧାଳୁ ହସ୍ପିଟାଲରେ ଭର୍ତ୍ତି ହେବା, ଭିଡ଼ ନିୟନ୍ତ୍ରଣରେ ପୋଲିସ ପ୍ରଶାସନର ବିଫଳତା, ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଆଦି ଘଟଣାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।