fbpx

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡିର ରେଜିଷ୍ଟ୍ରେସନ୍ ହେବ ବାତିଲ୍

ନୂଆଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସର୍କୁଲାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡିର ପଞ୍ଜୀକରଣ ବାଧ୍ୟତାମୂଳକ ବାତିଲ କରାଯିବ । ଯେଉଁ ଯାନଗୁଡିକର ରେଜିଷ୍ଟ୍ରେସନ ରିନ୍ୟୁଆଲ ହୋଇଛି (୧୫ ବର୍ଷରୁ ଅଧିକ), ତାହା ମଧ୍ୟ ସ୍ୱୟଂଚାଳିତ ଭାବରେ ବାତିଲ ବୋଲି ବିବେଚନା କରାଯିବ । ଏହିପରି ସମସ୍ତ ପୁରୁଣା ଯାନକୁ ଏକ ପଞ୍ଜୀକୃତ ସ୍କ୍ରାପ୍ ସେଣ୍ଟରରେ ଡିସପୋଜ୍ କରିବାକୁ ପଡିବ ।

କେନ୍ଦ୍ର ସରକାରଙ୍କ ଯାନ, ରାଜ୍ୟ ସରକାରଙ୍କ ଯାନ, ୟୁନିଅନ ଅଞ୍ଚଳର ଯାନ, ନିଗମର ଯାନ, ରାଜ୍ୟ ପରିବହନ ଯାନ, ପିଏସୟୁର ଯାନ (ପବ୍ଲିକ ସେକ୍ଟର ଅଣ୍ଡରଟେକିଂ) ଏବଂ ସରକାରୀ ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ଯାନକୁ ସ୍କ୍ରାପ୍ କରିବାକୁ ପଡିବ । ତେବେ ସେନା ଯାନ ଏଥିରେ ସାମିଲ ନୁହେଁ । ଏହି ନୂଆ ଆଦେଶ ୧ ଏପ୍ରିଲ ୨୦୨୩ ରୁ ଲାଗୁ ହେବ ।

ତେବେ ଗତ ବର୍ଷ ନଭେମ୍ବରରେ ସଡକ ପରିବହନ ମନ୍ତ୍ରଣାଳୟ ଏକ ଡ୍ରାଫ୍ଟ ଜାରି କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ୧୫ ବର୍ଷ ପୁରୁଣା ଯାନକୁ ସ୍କ୍ରାପ୍ କରିବାକୁ ପଡିବ । କର୍ପୋରେସନ୍ ଏବଂ ପରିବହନ ବିଭାଗର ବସ୍ ଏବଂ ଯାନରେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି କୁହାଯାଇଥିଲା । ତା’ପରେ ସରକାର ୩୦ ଦିନ ମଧ୍ୟରେ ଡ୍ରାଫ୍ଟ ଉପରେ ପରାମର୍ଶ ଏବଂ ଆପତ୍ତି ଲୋଡିଥିଲେ । ବର୍ତ୍ତମାନ ସରକାର ଏହି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।

ଗତ ନଭେମ୍ବରରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ, ୧୫ ବର୍ଷରୁ ଅଧିକ ସରକାରୀ ଗାଡିଗୁଡିକ ଜଙ୍କରେ ପରିଣତ ହେବ । ଏହା ସହ ଜଡିତ ନୀତି ରାଜ୍ୟମାନଙ୍କୁ ପଠାଯାଇଛି । ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏକ ଫାଇଲରେ ଦସ୍ତଖତ କରାଯାଇଛି, ଯେଉଁଥିରେ ୧୫ ବର୍ଷରୁ ଅଧିକ ପୁରୁଣା ଭାରତ ସରକାରଙ୍କ ସମସ୍ତ ଯାନ ଜଙ୍କରେ ପରିଣତ ହେବ । ମୁଁ ମଧ୍ୟ ଏହି ନୀତି ସମସ୍ତ ରାଜ୍ୟକୁ ପଠାଇଛି, ସେମାନେ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ୍ ।’

Get real time updates directly on you device, subscribe now.