fbpx

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇବେ ଅବସରପ୍ରାପ୍ତ ପ୍ରଫେସର, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟରତ ଅଧ୍ୟାପକ ଓ ପ୍ରଫେସରଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ଗତ ମାସରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରଫେସରଙ୍କ ନିଯୁକ୍ତି ନେଇ କଟକଣା ରହିଥିବାରୁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥିର କରିବା ସହ ଏ ନେଇ ଏକ ନୂଆ ଯୋଜନା ପ୍ରସ୍ତୁତ କରିଥିଲେ ।

ତେବେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ଭାବେ ନିଯୁକ୍ତି କରାଯାଉ ନଥିବାରୁ ଅନେକ ପଦ ଖାଲି ପଡ଼ୁଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟରେ ୧୮୦୧ଟି ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମଞ୍ଜୁରୀ ରହିଛି । ମାତ୍ର ସେଥିମଧ୍ୟରୁ ମାତ୍ର ୭୨୧ଟି ପଦ ପୂରଣ ହୋଇଥିବା ବେଳେ ୬୦ ପ୍ରତିଶତ ଶିକ୍ଷକ ପଦ ଖାଲି ରହିଛି । ତେବେ ଶିକ୍ଷାନୁଷ୍ଠାନଙ୍କରେ ଆବଶ୍ୟକ ସଂଖ୍ୟକ ପ୍ରଫେସର ନଥିବାରୁ ଶିକ୍ଷାଦାନ ବ୍ୟାଘାତ ହେଉଛି ।

ତେଣୁ ଶିକ୍ଷକ ସମସ୍ୟାକୁ ଦୂର କରିବା ପାଇଁ ଚଳିତ ମାସ ପହିଲାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ପଠାଯିବା ସହିତ ତ୍ୱରିତ ଭାବେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିୟୋଜିତ କରିବାକୁ କୁହାଯାଇଛି । ମୂଳ ପଦ ପୂରଣ ନ ହେବା ପର୍ଯ୍ୟନ୍ତ ଅବସରପ୍ରାପ୍ତ ପ୍ରଫେସରମାନେ କାର୍ଯ୍ୟ କରିବେ । ଏଥିପାଇଁ ଗାଇଡଲାଇନ୍ ପାଳନ କରି ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହପରି ବିଭାଗ ପକ୍ଷରୁ ଆଉ ଏକ ଚିଠିରେ ୧୩ଟି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯିବା ସହିତ ଗୁଣବତ୍ତା ଶିକ୍ଷା ପ୍ରଦାନ ପାଇଁ ଅବସରପ୍ରାପ୍ତ ପ୍ରଫେସରଙ୍କୁୁ ନିୟୋଜିତ କରିବାକୁ ନିହାଯାଇଛି । ଚିଠିରେ ଉକ୍ରଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଏମଏସ ଆଇନ ୟୁନିଭରସିଟି ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ବାଦ୍ ଦିଆଯାଇଛି । ୧୩ଟି ବିଶ୍ୱବିଦ୍ୟାଳୟରେ ମୋଟ ୧,୧୯୨ ଜଣ ଅତିରିକ୍ତ ପ୍ରଫେସରଙ୍କୁ ନିୟୋଜିତ କରିବାକୁ କୁହାଯାଇଛି । ସେମାନଙ୍କ ମଧ୍ୟରେ ୩୪ ଜଣ ପ୍ରଫେସର, ୨୨୬ ଜଣ ଆସୋସିଏଟ ପ୍ରଫେସର ଓ ୯୩୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରସେର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତମାନେ ନାପସନ୍ଦ କରିବା ସହ ଖାଲି ପଦ ପୂରଣ ନେଇ ପଦକ୍ଷେପ ଗ୍ରହଣ ନକରି ଏହି ଯୋଜନା କରାଯିବା ଅନୁଚିତ ବୋଲି କହିଛନ୍ତି ।

Get real time updates directly on you device, subscribe now.