fbpx

ଗ୍ରାହକଙ୍କ ପକେଟ୍ ଉପରେ କରୋନା ମାଡ଼: ବଢ଼ିଲା ଅମୁଲ କ୍ଷୀର, ଏଲପିଜି ସିଲିଣ୍ଡରର ଦାମ୍

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲକଡାଉନ୍ ଜାରି ରହିଥିବା କାରଣରୁ ଅନେକ ଲୋକ ଜୀବିକା ହରାଇଛନ୍ତି । ଏହି ସମୟରେ ଆଉ ଏକ ଖରାପ ଖବର ଲୋକମାନଙ୍କୁ ହନ୍ତସନ୍ତ କରିବାକୁ ଯାଉଛି ଯାହା ହେଉଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି । ତେବେ ଜୁଲାଇ ମାସରେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବଢ଼ିଯାଇଛି । ଯାହା ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି । ତେବେ ସୂଚନା ଅନୁସାରେ, ଜୁଲାଇ ମାସରେ ଅମୁଲ କ୍ଷୀର, ଏଲପିଜି ସିଲିଣ୍ଡର ଆଦି ମହଙ୍ଗା ହୋଇଯାଇଛି । ଖାଲି ସେତିକି ନୁହେଁ ବ୍ୟାଙ୍କ୍ ସର୍ଭିସ୍ ଚାର୍ଜ ମଧ୍ୟ ବୃଦ୍ଧି ହୋଇଛି ।

ଗୋଟେପଟେ ଏହି ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ପୂର୍ବରୁ ହିଁ ପେଟ୍ରୋଲ୍ ଓ ଡିଜେଲ୍ ଦର ଆକାଶଛୁଆଁ ହୋଇରହିଛି । ତେଣୁ ଏହିପରି ଭାବରେ ଲଗାତର ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଇବା ଦ୍ୱାରା ଖାଉଟିଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ତେବେ ଅମୁଲ ନିଜର ସବୁ ବ୍ରାଣ୍ଡର କ୍ଷୀରର ଦାମ୍ ୨ ଟଙ୍କା ପ୍ରତି ଲିଟର୍ ବଢ଼ାଇବା ନେଇ ଘୋଷଣା କରିଛି । ଏହି ବର୍ଦ୍ଧିତ ଦାମ୍ ଗୁରୁବାର ଠାରୁ ଲାଗୁ ହୋଇଯାଇଛି । ଏହାପରେ ଦିଲ୍ଲୀବାସୀଙ୍କୁ ଅମୁଲର ଦର ଲିଟର୍ ପିଛା ୫୭ ଟଙ୍କା ଦେବାକୁ ପଡ଼ିବ ।

ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ୨୦୨୧ ଜୁଲାଇ ୧ ରୁ ଦିଲ୍ଲୀରେ ବିନା ସବସିଡିବାଲାଙ୍କ ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି । ଗୋଟିଏ ସିଲିଣ୍ଡରର ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି । ଏଭଳି ପରିସ୍ଥିତିରେ ୮୦୯ ଟଙ୍କାରେ ଉପଲବ୍ଧ ସିଲିଣ୍ଡର ବର୍ତ୍ତମାନ ୮୩୪.୫୦ ଟଙ୍କାରେ ଉପଲବ୍ଧ ହେବ ।

Get real time updates directly on you device, subscribe now.