ଭାରତ-ପାକିସ୍ତାନ କ୍ରିକେଟ୍ ବିବାଦକୁ ନେଇ ଗର୍ଜିଲେ ତେଜସ୍ବୀ, କହିଲେ କାହିଁକି ଭାରତୀୟ ଦଳ ପଡୋଶୀ ଦେଶକୁ ଯାଇପାରିବ ନାହି?

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ନେଇ ବୟାନ ଦେଲେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ । ଭାରତୀୟ ଦଳ ଆସନ୍ତା ବର୍ଷ ଆଇସିସି ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବା ଉଚିକ ଏବଂ କ୍ରୀଡାକୁ ରାଜନୀତି ସହିତ ଯୋଡିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।  ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ପାକିସ୍ତାନ ଗସ୍ତକୁ ନେଇ ଅନିଶ୍ଚିତତା ଜାରି ରହିଛି । ଟୁର୍ଣ୍ଣାମେଣ୍ଟରେ ଆରମ୍ଭ ହେବାକୁ ଦୁଇମାସ ବାକି ରହିଥିବା ବେଳେ ଅନିଶ୍ଚିତତା ଦେଖାଯାଇଛି ।

ସୂଚନା ଅନୁସାରେ, ରାଜନୈତିକ ତିକ୍ତତା କାରଣରୁ 2008 ମସିହାରୁ ଏସିଆ କପରେ ଭାଗ ନେବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରୁନାହାନ୍ତି । ଶେଷଥର ପାଇଁ ଦୁଇ ଦଳ 2012-13 ମସିହାରେ ଭାରତରେ ଦ୍ବିପାକ୍ଷିକ ସିରିଜ ଖେଳିଥିଲେ । ତେବେ ଉଭୟ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପରେ ମୁହାଁମୁହିଁ ହୋଇଥିଲେ ।ତେବେ ଭାରତ ପାକିସ୍ତାନ ଗସ୍ତ ନକରିବା ପାଇଁ ଦୃଢ ଆଭିମୁଖ୍ୟ ରଖିଛି । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବୋର୍ଡ ପାଳନ କରିବ । ତେବେ ଏହାରି ଭିତରେ ମୁହଁ ଖୋଲିଛନ୍ତି ତେଜସ୍ବୀ । ସେ କହିଛନ୍ତି, ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବା ଉଚିତ । 2015 ମସିହାରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରିଥିଲେ । ଯଦି ମୋଦୀ ପାକିସ୍ତାନ ଯାଇପାରୁଛନ୍ତି ତାହେଲେ ଭାରତୀୟ ଦଳ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେଜସ୍ବୀ ଗଣମାଧ୍ୟମକୁ କହିଛନ୍ତି, କ୍ରୀଡା ସହିତ ରାଜନୀତିକୁ ଯୋଡିବା ଭଲ କଥା ନୁହେଁ । ଯଦି ଅଲମ୍ପିକ୍ସରେ ଯୋଗ ଦେବା ପାଇଁ ସବୁ ଦଳ ପାକିସ୍ତାନ ଯାଉଛନ୍ତି, ତାହାଲେ ଭାରତ କାହିଁକି ଯାଇପାରିବ ନାହିଁ । ଏଥିରେ ଆପତ୍ତି କଣ ରହିଛି? ଯଦି ପ୍ରଧାନମନ୍ତ୍ରୀ ବିରିୟାନି ଖାଇବାକୁ ଯାଇପାରନ୍ତି – ତେବେ ଏହା ଭଲ, ଯଦି ଭାରତ ଦଳ ଭ୍ରମଣ କରେ – ଏହା କାହିଁକି ସଠିକ୍ ନୁହେଁ? ESPNcricinfo ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଶୁକ୍ରବାର ଦିନ ବୈଠକ କରି ଏକ ସହମତି ହାସଲ କରିବାକୁ ଲକ୍ଷ୍ୟ ରଖିବ । ଏହି ଟୁର୍ନାମେଣ୍ଟ ଫେବୃଆରୀ 19 ରୁ ମାର୍ଚ୍ଚ ମଧ୍ୟରେ ହେବାକୁ ଯାଉଛି, କିନ୍ତୁ ଆଇସିସି ଏପର୍ଯ୍ୟନ୍ତ ସରକାରୀ କାର୍ଯ୍ୟସୂଚୀ ପ୍ରକାଶ କରିନାହିଁ । ତେବେ ଏହି ଟୁର୍ଣ୍ଣାମେଣ୍ଟ କେବଳ ପାକିସ୍ତାନରେ ହେବ ନା ହାଇବ୍ରିଡ ରହିବ ତାହା ମଧ୍ୟ ବୈଠକରେ ଆଲୋଚନା ହେବ ।