ଚୋରି କରିବା ପାଇଁ ଘରେ ପଶିଲେ, ବିରୋଧ କରିବାରୁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲେ
ବାଲେଶ୍ବର ସିମୁଳିଆରେ ଅଙ୍ଗନବାଡୀ କର୍ମଚାରୀଙ୍କୁ ଆକ୍ରମଣ ।
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ରାତିରେ ଘରେ ପଶି ଅଙ୍ଗନୱାଡ଼ି କର୍ମୀଙ୍କୁ ଆକ୍ରମଣ କରିଥିଲେ । ଅଙ୍ଗନବାଡି ଦିଦିଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ ବେଳେ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି ।
ତେବେ ଆକ୍ରମଣରେ ଅଙ୍ଗନବାଡି କର୍ମୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବରି ପଂଚାୟତର ବରି ହରିହାଟ ଅଙ୍ଗନବାଡ଼ି ଦିଦିଙ୍କ ନାମ ସୁକାନ୍ତି ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ସୁକାନ୍ତି ଘରେ ଏକୁଟିଆ ରହିଥିଲେ । ଏହାର ସୁଯୋଗ ପାଇ ଦୁର୍ବୃତ୍ତମାନେ ତାଙ୍କ ଘରେ ପ୍ରବେଶ କରିଥିଲେ । ତେବେ ଚୋରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସୁକାନ୍ତି ବିରୋଧ କରିଥିଲେ ।
ଏହାପରେ ଦୁର୍ବୃତ୍ତମାନେ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।