fbpx

ରୋବଟ୍ ସାହାର୍ଯ୍ୟରେ କରୋନା ବିରୋଧରେ ଲଢ଼ିବ ଭାରତ

ରୋଗୀଙ୍କ ନିକଟକୁ ଖାଇବା ଓ ଔଷଧ ପହଞ୍ଚାଇବ, ଟେମ୍ପରେଚର ମାପିବା ଓ ସାମ୍ପୁଲ୍ ସଂଗ୍ରହ କରିବା କାମରେ ବି ଲାଗିବ

ନୂଆଦିଲ୍ଲୀ, ୬ା୪: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଚୀନ୍ ସମେତ ବିଶ୍ୱର ଅନେକ ରାଷ୍ଟ୍ର ରୋବଟର ସାହାର୍ଯ୍ୟ ନେଉଛନ୍ତି । ଏହି ରୋବଟ କେବଳ ହସ୍ପିଟାଲରେ ସାନିଟାଇଜ୍ କାମ କରିବ ତା ନୁହେଁ, କରୋନା ଆକ୍ରାନ୍ତଙ୍କ ନିକଟରେ ଖାଇବା ପିଇବା ଓ ଔଷଧ ମଧ୍ୟ ପହଞ୍ଚାଇବ । ଭାରତରେ କରୋନା ଭୁତାଣୁ ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୯ରୁ ଊଦ୍ଧ୍ୱର୍ ହେଲାଣି । ଏପରି ସ୍ଥିତିରେ ଏହି କରୋନା ସଂକ୍ରମଣ ସ୍ଥିତିକୁ ମୁକାବିଲା କରିବାକୁ ଭାରତ ସରକାର ରୋବଟର ଉପଯୋଗ ଉପରେ ଧ୍ୟାନ ଦେଉଛନ୍ତି । ଏପରି କରାଗଲେ ଶୀଘ୍ର କରୋନା ଭଳି ମହାମାରୀ ଉପରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି ଆଶା କରାଯାଉଛି ।

ସାରା ବିଶ୍ୱର ହେଲ୍ଥ ୱାର୍କର, ବିଶେଷଜ୍ଞ ଏବଂ ସରକାର ଏହି ମହାମାରୀ ଭୁତାଣୁ ଉପରେ କାବୁ ପାଇବାକୁ ଉଦ୍ୟମ ଜାରି ରଖିଛନ୍ତି । କରୋନା ଫଳରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊଦ୍ଦ୍ୱର୍ ଦେଶ କ୍ଷତିଗ୍ରସ୍ତ ହୋଇଛନ୍ତି । ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କରୋନା ଫଳରେ ୧୨ ଲକ୍ଷରୁ ଊଦ୍ଧ୍ୱର୍ ମାମଲା ସାମ୍ନାକୁ ଆସି ସାରିଲାରି ଏବଂ ୬୯ ହଜାରରୁ ଊଦ୍ଦ୍ୱର୍ ଲୋକ ମୃତ୍ୟୁବରଣ କରିସାରିଲେଣି । ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ ସୋସିଆଲ୍ ଡିଷ୍ଟାନ୍ସିଂ ନୀତି ଆପଣାଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ପରାମର୍ଶ ଦେଇଛି । ଲୋକଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ଏବଂ ସଂକ୍ରମିତଙ୍କୁ ଚିକିତ୍ସା କରିବା ଏକ ପ୍ରକାର ଚାଲେଞ୍ଜ ହୋଇପଡ଼ିଲାଣି । ଏପରି ସ୍ଥିିତିରେ ରୋବଟ୍ ସଂକ୍ରମିତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାରେ ସହାୟକ ସାବ୍ୟସ୍ତ ହୋଇପାରେ ।


ମହାମାରୀର ସଂକ୍ରମଣ ରୋକିବା ପାଇଁ ଚୀନ୍ର ବୁହାର ସହରର ହୋଙ୍ଗସେନ୍ ସ୍ପୋର୍ଟ୍ସ ସେଣ୍ଟରେ ୧୪ଜଣ ଫିଲ୍ଡ ହସ୍ପିଟାଲ ଷ୍ଟାଫ୍ଙ୍କ ସହ ୧୪ଟି ରୋବଟ ମୁତୟନ କରାଯାଇଛି । ଏହି ରୋବଟ ଗୁଡ଼ିକୁ ବେଜିଂର ରୋବୋଟିକ୍ସ କମ୍ପାନୀ କ୍ଲାଉଡ୍ମାଇଣ୍ଡ୍ ପ୍ରସ୍ତୁତ କରିଛି । ଏହି ରୋବଟଗୁଡ଼ିକ ସଫା ସୁତୁରା କାର୍ଯ୍ୟ କରିବା ସହ ପିଡ଼ୀତଙ୍କ ନିକଟକୁ ଔଷଧ ପହଞ୍ଚାଇବା ଏବଂ ସେମାନଙ୍କ ଶରୀରର ତାପମାତ୍ରା ମଧ୍ୟ ଚେକ୍ କରିପାରିବେ । ଭାରତରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୟପୁରର ସବାଇ ମାନସିଂ ହସ୍ପିଟାଲରେ ହ୍ୟୁମନୋଇଡ୍ ରୋବଟ୍କୁ ନେଇ ଟ୍ରାଏଲ୍ ଜାରି ରହିଛି । ଏଠାରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ନିକଟରେ ଔଷଧ ଏବଂ ଖାଦ୍ୟ ପହଞ୍ଚାଇବାରେ ଏହି ରୋବଟ୍ ସହାୟକ ହେଉଛି । ପୂର୍ବରୁ ଏହି କାର୍ଯ୍ୟ ହସ୍ପିଟାଲର କର୍ମଚାରୀମାନେ କରିବାକୁ ବାଧ୍ୟ ହେଉଥିଲେ । ଫଳରେ ସେମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହୁଥିଲା । ଏହାବ୍ୟତିତ କରେଳର ଷ୍ଟାର୍ଟଅପ୍ କମ୍ପାନୀ ଏସିମୋବ୍ ରୋବୋଟିକ୍ସ ମଧ୍ୟ ୩ ଚକା ବିଶିଷ୍ଟ ରୋବଟ୍ ପ୍ରସ୍ତୁତ କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ରୋବଟ୍ ଆଇସୋଲେସନ୍ ୱାର୍ଡରେ ସଂକ୍ରମିତଙ୍କୁ ସହାୟତା ଯୋଗାଇବାରେ ସକ୍ଷମ ।

Get real time updates directly on you device, subscribe now.