fbpx

ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ; ଉଭୟ ପକ୍ଷରୁ ବମ୍ ଓ ରକେଟ୍ ମାଡ ଜାରି, ଅନେକ ମୃତାହତ

ନୂଆଦିଲ୍ଲୀ: ଇହୁଦୀ ଦେଶରେ ଆରମ୍ଭ ହୋଇଯାଇଛି ଭୟଙ୍କର ଯୁଦ୍ଧ । ଇସ୍ରାଏଲ ଉପରେ ହମାସ ପ୍ରଥମେ କ୍ଷେପଣାସ୍ତ୍ର ମାଡ କରିବା ପରେ ଇସ୍ରାଏଲ ବି ଯୁଦ୍ଧ ଘୋଷଣା କରି ଦେଇଛି । ଇସ୍ରାଏଲର ବହୁ ଲୋକଙ୍କୁ ହମାସ ଆତଙ୍କବାଦୀଙ୍କ ପକ୍ଷରୁ ବନ୍ଧକ ବି ରଖାଯାଇଛି । ଏହାର ଜବାବରେ ଇସ୍ରାଏଲ ଗାଜାପଟ୍ଟୀ ଉପରେ ଏକ ଡର୍ଜନରୁ ଅଧିକ ରକେଟ୍ ମାଡ କରିଛି । ଏହି ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆଜି ସକାଳେ ଆକ୍ରମଣ ପୂର୍ବରୁ ଇସ୍ରାଏଲରେ ଚେତାବନୀ ବାଲା ସାଇରନ ବାଜି ଉଠିଥିଲା । ଏଠିକାର ସେନା ଯୁଦ୍ଧର ଘୋଷଣା କରି ଦେଇଥିଲେ । କିଛି ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ଜାରି ରହିଛି । ନ୍ୟୁଜ ଏଜେନ୍ସୀ ଏଏଫପିର ସୂଚନା ଅନୁସାରେ ଆଜି ସକାଳେ ଗାଜାରେ ବିଭିନ୍ନ ସ୍ଥାନରୁ ରକେଟ୍ ମାଡ ହୋଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲର ବହୁଲୋକଙ୍କୁ ବନ୍ଧକ ରଖିଛନ୍ତି ।

ଏବେ ଇସ୍ରାଏଲ ଜରୁରୀକାଳୀନ ପରିସ୍ଥିତିରେ ଥିବା ବେଳେ ଦେଶର ବିରୋଧୀ ଦଳର ନେତା ମଧ୍ୟ ହମାସ ବିରୁଦ୍ଧରେ ଇସ୍ରାଏଲର ଏହି ଆକ୍ରମଣକୁ ସମର୍ଥନ କରିଛନ୍ତି । ଇସ୍ରାଏଲ ସେନା ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ଓ ମଧ୍ୟ କ୍ଷେତ୍ରରେ ସାଇରନ୍ ବଜାଇ ଚେତାବନୀ ଜାରି କରିଥିଲେ । ଜନତାଙ୍କୁ ଆଶ୍ରୟ କେନ୍ଦ୍ରରେ ରହିବାକୁ ନିବେଦନ କରାଯାଇଥିଲା । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗାଜାପଟ୍ଟୀରୁ ବହୁ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଜବରଦସ୍ତ ପ୍ରବେଶ କରିଛନ୍ତି ।

ମଧ୍ୟ ଇସ୍ରାଏଲର ଏକ କୋଠା ଉପରେ ହମାସ ପକ୍ଷରୁ ରକେଟ୍ ମାଡରେ ଜଣେ ବୟସ୍କା ମହିଳା ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ଯୁଦ୍ଧ ସ୍ଥିତିର ସମୀକ୍ଷା କରିବାକୁ ସୁରକ୍ଷା ବୈଠକ ଡକାଇବେ ।

Get real time updates directly on you device, subscribe now.