fbpx

ସୂର୍ଯ୍ୟ ଓ ରୋହିତଙ୍କ ଧମାକାଦାର ବ୍ୟାଟିଂ; ଶେଷ ଓଭରରେ ବିଜୟ ସହ ଭାରତ ୧-୦ରେ ଆଗୁଆ

ନୂଆଦିଲ୍ଲୀ: ଜୟପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆକୁ ଜିତି ନେଇଛି ଭାରତ । ଶେଷ ଓଭର ଥ୍ରିଲରକୁ ଜିତିବା ସହିତ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ୧୬୫ରନର ପିଛା କରୁଥିବା ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଚମକ୍ରାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦୁଇଟି ବଲ ପୂର୍ବରୁ ୫ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଭାରତ । ଋଷଭ ପନ୍ତ ଭାରତ ପକ୍ଷରୁ ବିଜୟ ସୂଚକ ଚୌକା ମାରିଥିଲେ । ପ୍ରଥମ ୱିକେଟରେ କେ ଏଲ୍ ରାହୁଲ(୧୫) ଓ ରୋହିତ ଶର୍ମା(୪୮) ୫୦ ରନ ଯୋଡିଥିଲେ । ରୋହିତ ୩୬ ବଲ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ । ଅନ୍ୟପକ୍ଷରେ ଭାରତର ଟପ ସ୍କୋରର ସୂର୍ଯ୍ୟ ୪୦ ବଲ ଖେଳି ୬୨ ରନ କରିଥିଲେ । ରୋହିତ ଏବଂ ସୂର୍ଯ୍ୟ ବ୍ୟାଟିଂ କରୁଥିବା ସମୟରେ ୨୪ ବଲରୁ ୨୩ରନ ଆବଶ୍ୟକ ଥିଲା । ତେବେ ୧୮ ଓ ୧୯ ତମ ଓଭରରେ ନ୍ୟୁଜିଲାଣ୍ଡ ମାତ୍ର ୭ ରନ ବ୍ୟୟ କରି ମ୍ୟାଚକୁ ଫେରିଥିଲା । ଅନ୍ତିମ ଓଭରରେ ୧୦ ରନ ଆବଶ୍ୟକ ରହିଥିବା ବେଳେ କ୍ରିଜରେ ଥିଲେ ଭେଙ୍କଟେଶ ଆୟର ଓ ପନ୍ତ । ପଦାର୍ପଣ କାରୀ ଆୟର ଚୌକାରୁ ନିଜର ପ୍ରଥମ ରନ ସଂଗ୍ରହ କରିବା ପରେ ଆଉଟ ହୋଇଥିଲେ । ଏହାପରେ ଚୌକା ମାରି ପନ୍ତ ମ୍ୟାଚ ଶେଷ କରିଥିଲେ ।
ଟସ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଗୋଲ୍ଡେନ ଡକରେ ଡାରିଲ ମିଚେଲଙ୍କୁ ପ୍ୟାଭିଲିୟନ ଫେରାଇଥିଲେ । ତେବେ ଗପ୍ଟିଲ(୭୦) ଏବଂ ଚାପମ୍ୟାନ (୬୩)ଙ୍କ ମଧ୍ୟରେ ୧୦୯ ରନର ଭାଗିଦାରୀ ହୋଇଥିଲା । ଗପ୍ଟିଲ ୪୨ ବଲରୁ ୩ ଚୌକା ଓ ୪ ଛକା ସହିତ ୭୦ ରନ କରିଥିଲେ । ଚାପମ୍ୟାନଙ୍କ ଇନିଂସରେ ୬ ଚୌକା ଓ ୨ ଛକା ସାମିଲ ଥିଲା । ଭାରତ ପକ୍ଷରୁ ଆର ଅଶ୍ୱିନ ୨୩ ରନ ଏବଂ ଭୁବନେଶ୍ୱର କୁମାର ୨୪ ରନ ବ୍ୟୟରେ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଏବଂ ଦୀପକ ଚହର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.