fbpx

ରୋହିତ-କୋହଲି ଖେଳିବେନି ଦିନିକିଆ ସିରିଜ! ଶ୍ରୀଲଙ୍କା ବିପକ୍ଷରେ କଡ଼ା ମୁକାବିଲା

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ଉପରେ କବଜା କରିସାରିଛି ଟିମ ଇଣ୍ଡିଆ । ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାସହିତ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି । ତେବେ ଟି-୨୦ ପରେ ଏବେ ଦିନିକିଆ ସିରିଜରୁ ବାଦ୍ ପଡ଼ିପାରନ୍ତି ରୋହିତ ଏବଂ ବିରାଟ । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ପଦ ଦିଆଯାଇପାରେ । ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ସିରିଜରୁ ଅଧିନାୟକ ରୋହିତ ଏବଂ ବିରାଟଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ ।

ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ସିରିଜରେ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ଚମ୍ପିଆନ୍ କ୍ରିକେଟର ବିରାଟ କୋହଲି ବିଶ୍ରାମ ନେଇପାରନ୍ତି । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ । ରୋହିତ ଅଧିନାୟକ ପଦରେ ଥିବା ବେଳେ ହାର୍ଦ୍ଦିକ ଦଳର ଉପ-ଅଧିନାୟକ ରହିଥିଲେ । ତେଣୁ ସେ ଦଳର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି । ତେବେ ରୋହିତ ଏବଂ ବିରାଟଙ୍କ ସହ ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ । ଆଇପିଏଲ ଆରମ୍ଭରୁ ଲଗାତାର ଖେଳିଥିବାରୁ ବିସିସିଆଇ ନିକଟରେ ବିରାଟ ଏବଂ ରୋହିତ ଏକ ବଡ଼ ବ୍ରେକ ମାଗିଛନ୍ତି ବୋଲି କୁହାଯାଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଲଗାତାର ଖେଳି ଆସୁଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଏହାପରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଏବଂ ଆଇପିଏଲ ଖେଳିବା ପରେ ଟି-୨୦ ବିଶ୍ୱକପରେ ଭାରତକୁ ବିଶ୍ୱବିଜେତା କରାଇଛନ୍ତି ଉଭୟ ଖେଳାଳି । ତେବେ ଆଗାମୀ ବର୍ଷ ଚମ୍ପିଆନ୍ସ ଟ୍ରଫି ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ରୋହିତ ଏବଂ ବିରାଟଙ୍କ ପ୍ରସ୍ତୁତି ପାଇଁ ଯଥେଷ୍ଟ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.